ଡିମ୍ପଲଙ୍କୁ ୬୩ ବର୍ଷ: ୧୬ ବର୍ଷ ବୟସରେ ବବି ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାରଡମ୍‌ କରିଥିଲେ ହାସଲ

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ କପାଡ଼ିଆ ସୋମବାର ୬୩ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ମେରା ନାମ୍‌ ଜୋକର ଫିଲ୍ମ ପରେ ରାଜ କପୁରଙ୍କ ସ୍ଥିିତି ଖରାପ ଥିଲା। ସେ ବବି ଫିଲ୍ମ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରିଷି କପୁରଙ୍କ ସହିତ ବବି ଫିଲ୍ମରେ ଡିମ୍ପଲ ସ୍କ୍ରିନ୍‌ ଶେୟାର କରି ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ବବି ପରେ ଡିମ୍ପଲଙ୍କ ଜୀବନରେ ଆସିଥିଲା ବିରାଟ ପରିବର୍ତ୍ତନ। ବବି ମୁକ୍ତି ଲାଭ କରିବା ପୂର୍ବରୁ ସୁପରଷ୍ଟାର ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜେଶଙ୍କ ବୟସ ସେତେବେଳେ ୩୧ ଥିଲା। ସେ ଡିମ୍ପଲଙ୍କଠାରୁ ୧୫ ବର୍ଷ ବୟସ ବଡ଼ଥିଲେ। ତେବେ ଦୁହିଁଙ୍କ ବିବାହ ହୋଇଥିଲା। ଏହା ପରେ ବବି ଫିଲ୍ମ ୧୯୭୩ରେ ପରଦାକୁ ଆସିଥିଲା। ଏହି ଫିଲ୍ମ ବକ୍ସ୍‌ ଅଫିସ୍‌ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲା। ରାତାରାତି ଡିମ୍ପଲ ଷ୍ଟାରଡମ୍‌ ହାସଲ କରିଥିଲେ। ଏହା ସହିତ ରାଜକପୁରଙ୍କ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା।

Share