Categories: ଖେଳ

ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ ବୋଲି ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ କହିଛନ୍ତି। ୩୬ ବର୍ଷୀୟ ଡିଭିଲିୟର୍ସ ଦୁଇ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ୨୦୧୮ ମେ’ରେ ଅବସର ନେଇଥିବା ଡିଭିଲିୟର୍ସ ଗତବର୍ଷ ୫୦ ଓଭର ବିଶିଷ୍ଟ ଆଇସିସି ବିଶ୍ୱକପ୍‌ରେ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଜାତୀୟ ଚୟନକର୍ତ୍ତା ମନା କରି ଦେଇଥିଲେ। ମୁଁ ଡିଭିଲିୟର୍ସଙ୍କ ଜଣେ ବଡ଼ ପ୍ରଶଂସକ। ଦକ୍ଷିଣ ଆଫ୍ରିକା ଦଳକୁ ବିଶ୍ୱକପ୍‌ ଜିତିବାକୁ ହେଲେ ଶ୍ରେଷ୍ଠ ଦଳକୁ ଚୟନ କରିବାକୁ ପଡ଼ିବ। ତାଙ୍କୁ ଦଳରେ ସାମିଲ କରିବା କଷ୍ଟକର। କାରଣ ତାଙ୍କୁ ସାମିଲ କରିବା ଦ୍ୱାରା ଗତ ଦୁଇବର୍ଷ ହେଲା ଦଳର ଅଂଶ ଥିବା ଖେଳାଳିଙ୍କୁ ବାହାରେ ରଖିବାକୁ ପଡ଼ିବ। କିନ୍ତୁ ଦଳ ପାଇଁ ଡିଭିଲିୟର୍ସ ଜରୁରୀ। ଆଇପିଏଲ ଓ ବିଗ୍‌ ବାଶ ଲିଗ୍‌ରେ ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ସେ ଜଣେ ବିଶ୍ୱ ସ୍ଥରୀୟ ଖେଳାଳି। ତାଙ୍କୁ ମୁଁ ବିଶ୍ୱକପ୍‌ରେ ଦେଖିବାକୁ ଚାହେଁ ବୋଲି ରୋଡ୍ସ କହିଛନ୍ତି।

Share