ଡିଜିଟାଲ ପ୍ଲାଟଫର୍ମରେ ହେବ ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ)- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ନୃତ୍ୟ, ସଙ୍ଗୀତ ଓ ସାରସ୍ବତ କାର୍ଯ୍ୟକ୍ରମର ଡିଜିଟାଲ ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନା ଲକ୍‌ଡାଉନ୍‌ ପାଇଁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ଏହାର ପ୍ରଭାବ କଳାକାର ଓ କଳାପ୍ରେମୀଙ୍କ ଉପରେ ପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ପ୍ରବଚନ, ସୁଗମ ସଙ୍ଗୀତ, ଭଜନ, ବାଦ୍ୟଯନ୍ତ୍ର, ଓଡ଼ିଶୀ, ସୋଲୋ ଏକାଙ୍କିକା ଭଳି ସୃଜନାତ୍ମକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ବୁଧବାର ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁସାରେ, ଉଭୟ ଏକାଡେମୀର ସମନ୍ବୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡିଂ କରାଯାଇ ଟିଭି ଚ୍ୟାନେଲ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରସାରଣ କରାଯିବ। ସେହିଭଳି ବାଦ୍ୟ ସଂଗୀତ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାକ୍ଷାତ୍‌କାର ମଧ୍ୟ ଲୋକେ ଦେଖିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟକ୍ରମ ୩୦ ମିନିଟ୍‌ ଅବଧିର ରହିବ ଓ କୌଣସି ପ୍ରକାର ଭାବର ଆଦାନପ୍ରଦାନ ରହିବ ନାହିଁ। ଡିଜିଟାଲ୍‌ ମୋଡ୍‌ରେ ଟିଭି ଏବଂ ସୋସିଆଲ୍‌ ମିଡିଆରେ ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟକ ଦର୍ଶକଙ୍କ ପାଖରେ ପହଞ୍ଚତ୍ପାରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ବାର୍ଷିକ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଅନୁଯାୟୀ ହେଉଥିବା ବିଭିନ୍ନ ଉତ୍ସବକୁ ଡିଜିଟାଲ୍‌ ମାଧ୍ୟମରେ ପ୍ରସାରଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଏକାଡେମୀଗୁଡ଼ିକର କାର୍ଯ୍ୟକ୍ରମକୁ ସ୍ଥାଣୁତ୍ୱରୁ ରକ୍ଷା କରିବାକୁ ହେଲେ ଏହା ହିଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ଅବସରରେ କହିଥିଲେ। ବୈଠକରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଡ. ରାମକୃଷ୍ଣ ସାହୁ, ସଂପାଦକ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦିକା ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜୁନ୍‌ ପହିଲାରୁ ପ୍ରସାରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।