ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮ ତାରିଖ ୩ଟା ୩୦ ମିନିଟ ସମୟରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହି ବିଶାଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଯୋଡି ହେବା ପାଇଁ କେନ୍ଦୁଝର ଜିଲାରୁ ୫୦୦୦ କାର୍ଯ୍ୟକର୍ତ୍ତା ସାମିଲ ହେବେ ବୋଲି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲା ବିଜେପି ଆଇଟି ସେଲ୍‌ର ଏକ ପ୍ରସ୍ତୁତି ବୈଠକ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲା ଆଇଟି ସେଲ୍‌ ସଂଯୋଜକ ଜୟଦେବ ଗିରି ଓ ଜିଲାର ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ସହ ୪୨ଟି ମଣ୍ଡଳର ଆଇଟି ସେଲ୍‌ ସଂଯୋଜକ ପ୍ରମୁଖ ସାମିଲ ହେଇଥିଲେ।