Categories: ବାଣିଜ୍ୟ

ଡିଜିଟାଲ ଇଣ୍ଡିଆରେ ସରକାରଙ୍କୁ ସହାୟତା କରିବ ଗୁଗଲ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ‘ବିଲ୍ଡ ଫର୍‌ ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶୀର୍ଷ କମ୍ପାନୀ ଗୁଗଲ ଏଦିଗରେ ସହାୟତାର ହାତ ବଢ଼ାଇଛି। କମ୍ପାନୀ କେନ୍ଦ୍ର ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ସହ ଚୁକ୍ତିବଦ୍ଧ ହୋଇଛି। କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମ ଜରିଆରେ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ଏଭଳି ଏକ ମଞ୍ଚ ଉପଲବ୍ଧ କରାଯିବ, ଯାହା ଦ୍ୱାରା ସେମାନେ ସାମାଜିକ ସମସ୍ୟାଗୁଡ଼ିକର ମୁକାବିଲା କରିବା ବେଳେ ପ୍ରଯୁକ୍ତି ଆଧାରିତ ସମାଧାନ ପନ୍ଥା ବିକଶିତ କରିପାରିବେ। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ଉଦ୍ଧାର କରି ବୟାନରେ କୁହାଯାଇଛି ଯେ, ଏହି ପଦକ୍ଷେପ ଦ୍ୱାରା ସାରା ଦେଶର କଲେଜ ଛାତ୍ରୀଛାତ୍ର ପ୍ରୋତ୍ସାହିତ ହେବେ ଏବଂ ସାମାଜିକ ଆହ୍ବାନର ସମାଧାନ ଲାଗି ଭଲ ପ୍ରଯୁକ୍ତିଗତ ସମାଧାନ ବାହାରିପାରିବ। ଏହି କାର୍ଯ୍ୟକ୍ରମ ଜରିଆରେ ସାରା ଦେଶର ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ସ୍ବାସ୍ଥ୍ୟ, କୃଷି, ଶିକ୍ଷା, ସ୍ମାର୍ଟ ସିଟି, ଭିତ୍ତିଭୂମି, ମହିଳା ସୁରକ୍ଷା, ସ୍ମାର୍ଟ ପରିବହନ, ପରିବେଶ, ଦିବ୍ୟାଙ୍ଗତା ଏବଂ ଡିଜିଟାଲ ସାକ୍ଷରତା ଭଳି ବିଷୟ ଉପରେ ସେମାନଙ୍କ ମତାମତ ଓ ସମାଧାନ ଉପସ୍ଥାପନ କରିବା ଲାଗି ସୁଯୋଗ ଦିଆଯିବ। ଏହାଦ୍ୱାରା ଛାତ୍ରୀଛାତ୍ର ମେଶିନ ଲର୍ନିଂ, କ୍ଲାଉଡ୍‌ ଓ ଆଣ୍ଡ୍ରଏଡ୍‌ ଭଳି ନୂଆ ପ୍ରଯୁକ୍ତି ଶିଖିବା ଲାଗି ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନକୁ ମାଧ୍ୟମ କରିପାରିବେ।

Share