ଡିକି ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡା,୯।୮(ସ୍ବ.ପ୍ର.) : ନୟାଗଡ ଜିଲା କଣ୍ଟିଲୋ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଗୁରୁବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଜଣେ ଶିକ୍ଷକଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ପାଟଣା ଛକରେ ବଡବାଣପୁର ପଞ୍ଚାୟତ ଅନ୍ତର୍ଗତ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କଣ୍ଟିଲୋ ଖୁଦବେହେରା ପାଟଣା ଗ୍ରାମର ପ୍ରଦୀପ କୁମାର ସାହୁ(ଅଜୟ)ଙ୍କ ବାଇକ ଡିକି ଭାଙ୍ଗି ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଖଣ୍ଡପଡା ଥାନାରେ ଅଭିଯୋଗ ହୋଇଛି।
ଯେ, ପ୍ରଧାନ ଶିକ୍ଷକ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ଖଣ୍ଡପଡା ୟୁକୋ ବ୍ୟାଙ୍କକୁ ଯାଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଟଙ୍କା ୬, ୮୯୯ ଓ ଏସ୍‌ସିଏସ୍‌ଟି ସ୍କଲାରଶିପ ୨,୧୪୪ଟଙ୍କା ସହିତ ନିଜ ବ୍ୟକ୍ତିଗତ ୪୦ ହଜାର ଟଙ୍କା ଏପରି ସମୁଦାୟ ୪୯ହଜାର ୪୩ ଟଙ୍କା ଉଠାଇ ତାଙ୍କ ବାଇକ ଯୋଗେ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୪.୧୫ରେ ଶୁଳିଆ- କଣ୍ଟିଲୋ ରାସ୍ତା ପାଟଣା ଛକରେ ସେ ଅଟକି ଏକ ଦୋକାନରୁ ବରା କିଣିବାବେଳେ ୪ଜଣ ଯୁବକ ଦୁଇଟି ବାଇକ ଯୋଗେ ଆସି ହଠାତ୍‌ ଦୋକାନ ପାଖରେ ପହଞ୍ଚତ୍ଥିଲେ। ସେମାନେ ପ୍ରଧାନ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ତା’ ଭିତରେ ଥିବା ଟଙ୍କା ବ୍ୟାଗ ଲୁଟି ନେଇଥିଲେ। ଉକ୍ତ ବ୍ୟାଗରେ ୪୯ହଜାର ୪୩ ଟଙ୍କା ସହ ୪ଟି ବ୍ୟାଙ୍କ ପାସ ବୁକ ଓ ଗୋଟିଏ ଏଟିଏମ କାର୍ଡଥିଲା। ସେହି ସମୟରେ ଦୋକାନରେ ବସିଥିବା ଅନ୍ୟ ଗ୍ରାହକମାନେ ଏହା ଦେଖି ଡିକିରୁ କ’ଣ ନେଇଗଲେ ବୋଲି ପାଟି କରିବାରୁ ଆଖି ପିଛୁଳାକେ ଦୁର୍ବୃତ୍ତମାନେ ସେଠାରୁ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଏ ନେଇ ପ୍ରଧାନ ଶିକ୍ଷକ କଣ୍ଟିଲୋ ଫାଣ୍ଡିରେ ଅଭିଯୋଗ କରିଥିଲେ। ପରେ ଖଣ୍ଡପଡା ଥାନାରେ ୧୪୫/୧୯ରେ ଏକ ମାମଲା ରୁଜୁ ହେବା ସହିତ କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟ ପ୍ରକାଶ ପରିଡା ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଥିବା ସୂଚନା ଦେଇଛନ୍ତି।