ଡାଲି ଜାତୀୟ, ତୈଳବୀଜ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ୧୨ରୁ ୧୫ ତାରିଖ ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଫଳରେ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ପଦକ୍ଷେପମାନ ଗ୍ରହଣ କରିବାକୁ ଗୁରୁବାର ଓଡ଼ିଶା କୃଷି ଓ ଖାଦ୍ୟ ଉପତ୍ାଦନ ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ (ଓୟୁଏଟି) ପକ୍ଷରୁ ପରାମର୍ଶ ଦିଆଯାଇଛି। କୃଷକକୁ ବିଭାଗ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନୁଯାୟୀ, ଅଧିକ ବର୍ଷା ହେଲେ ବିଲରେ ଥିବା ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ, ପନିପରିବା ଓ ବିଭିନ୍ନ ଫୁଲ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିବା, ପନିପରିବା ଫସଲର ତଳିଘେରାକୁ ଧଳା ପଲିଥିନରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ଅନ୍ୟପକ୍ଷେ ଫଲ ଜାତୀୟ ଚାଷ ଯଥା ଗେଣ୍ଡୁ, ଗୋଲାପ, ସେବତୀ ଆଦି ଫୁଲର ମାନ ବର୍ଷା ଯୋଗୁ ଖରାପ ହେବାର ସମ୍ଭାବନା ରହିଛି। ତେଣୁ ସେଗୁଡ଼ିକୁ ତୋଳି ଦେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଫୁଲକୋବି, ବନ୍ଧାକୋବି ଓ ଅନ୍ୟାନ୍ୟ ପନିପରିବାକୁ ତୋଳିବା, ପିଆଜ ଓ ରସୁଣକୁ ଆଦାୟ କରି ଖେଳେଇବା ପାଇଁ ପରାମର୍ଶ ଦିଆଯାଇଛି। ସୂର୍ଯ୍ୟମୁଖୀ, ଚିନାବାଦାମ ଆଦି ତୈଳବୀଜ ଫସଲ, ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଓ ପନିପରିବାରେ ଜଉପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୪୦ ଗ୍ରାମ୍‌ ଥାୟୋମେଥୋକ୍‌ଜାମ୍‌ କିମ୍ବା ୫୦ ମି.ଲି. ଇମିଡ଼ାକ୍ଲୋପ୍ରିଡ଼୍‌ କିମ୍ବା ୫୦ ଗ୍ରାମ୍‌ ଏସିଟାମିପ୍ରିଡ଼୍‌କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି। ଏଥିସହ ଫସଲରେ ପତ୍ରପୋଡ଼ା ରୋଗ ଏଡ଼ାଇବା ପାଇଁ ଲିଟର ପ୍ରତି ୧ ଗ୍ରାମ୍‌ କାର୍ବେଣ୍ଡାଜିମ୍‌ ବା ୧.୫ ଗ୍ରାମ୍‌ କାର୍ବେଣ୍ଡାଜିମ୍‌ + ମାଙ୍କୋଜେବ୍‌ ମିଶ୍ରିତ ଔଷଧ ଅଥବା ୨ ଗ୍ରାମ୍‌ କ୍ଲୋରୋଥାଲୋନିଲ୍‌ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି। ଏ ନେଇ ଅଧିକ ଜାଣିବା ପାଇଁ କୃଷକମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।