ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ନେବା ଘଟଣା: ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍‌

ଭଦ୍ରକ ଅଫିସ,୧୦।୧: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଧରାପଡ଼ିବା ଘଟଣାରେ ଶୁକ୍ରବାର ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ (୧)ର ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍‌ କରାଯାଇଛି। ଲାଞ୍ଚ କାରବାରରେ ଗ୍ରାମ୍ୟ ଉନୟନ ବିଭାଗ(୧)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ମହାନ୍ତିଙ୍କ ସମ୍ପୃକ୍ତି ନେଇ ଭିଜିଲାନ୍ସ ବିଭାଗ ଗୁରୁବାର ରାତିରେ ଭୁବନେଶ୍ୱର ପଟିଆସ୍ଥିତ ବାସଭବନ ଓ ଭଦ୍ରକ ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ମିଳିଛି । ମାନସଙ୍କ ମୋବାଇଲ ଅଫ ଥିବା ବେଳେ ସେ ଫେରାର ଥିବା ଜଣାପଡ଼ିଛି। ତାଙ୍କ ଅନୁପସ୍ଥିତିରେ ଭଦ୍ରକ ଆବାସିକ କାର୍ଯ୍ୟାଳୟକୁ ସିଲ୍‌ କରିଛି ଭିଜିଲାନ୍ସ ବିଭାଗ।
ସୂଚନାଯୋଗ୍ୟ,ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଚଢ଼େୟା ଗ୍ରାମର ଦିଗାମ୍ବର ଦାସଙ୍କ ୮ ଲକ୍ଷ ୨୦ ହଜାର ଟଙ୍କାର ବିଲ୍‌ କରାଇ ଦେବା ପାଇଁ ପ୍ରିୟବ୍ରତ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଟିମ୍‌ ତାଙ୍କୁ ଗିରଫ କରିଥିଲା।