ଡାକ୍ତର, ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ଲାଗି ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଆବଶ୍ୟକ କଲା ରାଜ୍ୟ ସ୍ବାସ୍ଥ୍ୟବିଭାଗ। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟବିଭାଗର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦିଆଯାଇଛି। ଜୁନ୍‌ ୩୦ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିରେ ପାରିଶ୍ରମିକ ଦିଆଯିବା ସହ ନିଯୁକ୍ତି ଦିଆଯିବ। ବିଶେଷଜ୍ଞ ଡାକ୍ତରଙ୍କୁ ଦୈନିକ ୫ ହଜାର ଟଙ୍କା, ଏମ୍‌ବିବିଏସ୍‌ ଡିଗ୍ରୀ ଥିବା ମେଡିକାଲ ଅଫିସରଙ୍କୁ ଦୈନିକ ୩ହଜାର, ଷ୍ଟାଫ୍‌ନର୍ସ ଦୈନିକ ୧ ହଜାର, ଲାବୋରେଟୋରୀ ଟେକ୍‌ନିସିଆନ୍‌ଙ୍କୁ ଦୈନିକ ୧ହଜାର, ଫାର୍ମାସିଷ୍ଟଙ୍କୁ ୧ ହଜାର, ରେଡିଓଗ୍ରାଫର୍‌ସଙ୍କୁ ୧ହଜାର ଏବଂ ଏମ୍‌ପିଏଚ୍‌ଡବ୍ଲୁ(ମହିଳା/ପୁରୁଷ)ଙ୍କୁ ଦୈନିକ ୮୫୦ ଟଙ୍କା ଦିଆଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ଆବଶ୍ୟକୀୟ ଯୋଗ୍ୟତା ସହ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।