ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଣ୍ଟେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯାଉ ବୋଲି ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ଏଥିପାଇଁ ଯୁବଗୋଷ୍ଠୀ ଦସ୍ତଖତ ଅଭିଯାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ଶେଷରେ ସେମାନେ ଘଣ୍ଟେଶ୍ୱରଠାରୁ ଚାଲି ଚାଲି ତିହିଡ଼ି ରାସ୍ତା ଦେଇ ଭଦ୍ରକରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ନିକଟରେ ଡାକ୍ତର ନିଯୁକ୍ତି ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ ଡାକ୍ତର ନିଯୁକ୍ତି କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲି ଚାଲି ଆସି ଭଦ୍ରକରେ ଦାବିପତ୍ର ଦେବା ଘଟଣା ଲୋକଙ୍କ ମନକୁ ଆନ୍ଦୋଳିତ କରିଛି। ରାଜ୍ୟ ସରକାର ୫-ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପାଇଁ ଲୋକେ ଚାଲି ଚାଲି ପ୍ରଶାସନକୁ ଦାବିପତ୍ର ଦେବା ଘଟଣା ଜିଲାର ରୁଗ୍‌ଣ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହି ପଦଯାତ୍ରାରେ ଘଣ୍ଟେଶ୍ୱରର ହରିଶ୍ଚନ୍ଦ୍ର ମହାଳିକ, ସ୍ବପ୍ନେଶ୍ୱର ସାହୁ, ଶରତ ସେନାପତି, କାହ୍ନୁକିଶୋର ସାହୁ, ସିଦ୍ଧାର୍ଥ ଶଙ୍କର ନାୟକ, ବିଟୁ ଗୋଚ୍ଛାୟତ, ପୀତାମ୍ବର ମାଝୀ, ଅଭୟ ଦାସ, ମୁନା ପଟ୍ଟନାୟକ, ଅଭୟ ମହାକୁଡ଼ ଓ ନିଶିକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ। ଏହି ଗୋଷ୍ଠୀଙ୍କୁ ପ୍ରତି ଛକ ଓ ବଜାରରେ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ସେମାନେ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।