ଡାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା

ବ୍ରଜରାଜନଗର, ୧୨।୯ (ଡି.ଏନ୍‌.ଏ.)  ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସପ୍ତାହ ହେଲା କେତେଜଣ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତର ନ ଆସିଲେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ ବ୍ରଜରାଜନଗର ସହରବାସୀଙ୍କ ପାଇଁ ଖଲିଆକାନୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଥିଲା। ସହରାଞ୍ଚଳର ୭୦ ହଜାର ଲୋକଙ୍କୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ସେବା ଯୋଗେଇ ଆସୁଥିଲା। ହେଲେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଅଣଦେଖା କରିଆସୁଥିବା ଅଭିଯୋଗ ହେଉଛି। ଏଠାରେ ନିଯୁକ୍ତ ଡାକ୍ତରଙ୍କୁ ବିଭିନ୍ନ ଆଳରେ ଅନ୍ୟତ୍ର ପଠାଇ ଦିଆଯାଉଛି। ନିକଟ ଅତୀତରେ ଏଠାରେ ୬ଜଣ ଡାକ୍ତର ନିଯୁକ୍ତି ପାଇଥିଲେ। ହେଲେ ବର୍ତ୍ତମାନ ଆୟୁଷ ଓ ଦନ୍ତ ଚିକିସତ୍କଙ୍କୁ ଛାଡି ଦେଲେ ଅନ୍ୟ ୪ ଜଣ ଡାକ୍ତର ପାଖାପାଖି ଏକ ସପ୍ତାହ ହେଲା ଅନୁପସ୍ଥିତ ରହିଛନ୍ତି। ଡାକ୍ତରଖାନା ପରିସରରେ ସମସ୍ତ ପ୍ରକାର ସୁବିଧା ଥିଲେ ସୁଦ୍ଧା ଡାକ୍ତରମାନେ ଏଠାରେ ନ ରହି ଝାରସୁଗୁଡାରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜଣେମାତ୍ର ଫାର୍ମାସିଷ୍ଟ ଯିଏ କି ଏଠାରେ ରାତି ଅଧରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି ତାଙ୍କୁ ମଧ୍ୟ ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ଚକ୍ରାନ୍ତ ଚାଲିଥିବା ଆଲୋଚନା ହେଉଛି। ଦୀପ ତଳ ଅନ୍ଧାର ଭଳି ଖୋଦ୍‌ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଝାରସୁଗୁଡା ବିଧାୟକ ଥିଲାବେଳେ ଜିଲାର ଏକ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ରହିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଏ ନେଇ ସିଡିଏମଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏହାର କୌଣସି ଉତ୍ତର ଦେଇ ନ ଥିଲେ।