ଡାକ୍ତରଙ୍କ ପରେ ଭାଇରାଲ ହେଉଛି ଏହି କରୋନା ଯୋଦ୍ଧାଙ୍କ ଫଟୋ

ଇନ୍ଦୋର,୫ ।୪: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସୁଛି । ଡାକ୍ତର ଓ ନର୍ସଙ୍କ ବ୍ୟତୀତ ଏହି କରୋନା ଯୁଦ୍ଧରେ ପୋଲିସ କର୍ମଚାରୀଙ୍କର କିଛି କମ୍ ଭୂମିକା ନାହିଁ । ଏବେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ପୋଲିସଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍ଦୋର ତୁକୋଗଞ୍ଜ ଥାନାରେ ଟ୍ରାଫିକ ଇନସପେକ୍ଟର ଭାବେ କାମ କରୁଥିବା ନିର୍ମଳ ଶ୍ରୀବାସଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ଘର ବାହାରେ ବସି ଖାଦ୍ୟ ଖାଉଥିବା ବେଳେ ଦୁଆର ମୁହଁରେ ତାଙ୍କର କୁନି ଝିଅଟି ତାଙ୍କୁ ଅନାଇ ରହିଛି । ଲକ୍‌ଡାଉନ୍ ସମୟରେ ଡ୍ୟୁଟି ସାରି ଘରକୁ ଫେରିଥିବା ନିର୍ମଳ କରୋନା ଭୟରେ ଘରକୁ ଯାଉ ନ ଥିବାରୁ ଘର ବାହାରେ ବସି ଖାଉଛନ୍ତି ।

କିଛିଦିନ ତଳେ ଭୋପାଳରୁ ଆସିଥିବା ଏମିତି ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଭୋପାଳର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧିର ଡେହରିଆ ୫ ଦିନ ପରେ ଘରକୁ ଫେରି ଭିତରକୁ ନ ଯାଇ ଘର ବାହାରେ ବସି ଚା’ ପିଉଥିଲେ । ଏହାପରେ ଘର ଲୋକଙ୍କ ଭଲମନ୍ଦ କଥା ବୁଝି ସେ ବାହାରୁ ବାହରୁ ଚାଲି ଯାଇଥିଲେ ବୋଲି କୁହାଯାଏ ।

Share