Categories: ଜାତୀୟ

ଡାକ୍ତରଙ୍କ ଚେୟାରରେ ବସି ଅନ୍ୟ ରୋଗୀଙ୍କୁ ଚିକିତ୍ସା କଲେ ମାନସିକ ରୋଗୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମାନସିକ ରୋଗୀ ଡାକ୍ତରଙ୍କ ଚେୟାରରେ ବସିବା ସହ କେତେଜଣ ରୋଗୀଙ୍କୁ ଚେକ୍‌ଅପ୍‌ କରି ସେମାନଙ୍କୁ ଔଷଧ ଲେଖି ଦେଇଥିବା ଜଣାପଡିଛି। ଏହି ଘଟଣା ଛତରପୁରର ଜିଲା ହସ୍ପିଟାଲରେ ଘଟିଛି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଡାକ୍ତର ହିମାଂଶୁ ବାଥମଙ୍କ ଚାମ୍ବର ଖାଲିଥିବା ଦେଖି ସେଠାରେ ଜଣେ ମାନସିକ ରୋଗୀ ପଶିଯିବା ସହ ତାଙ୍କ ଚେୟାରରେ ବସି ପଡିଥିଲେ। ସେଠାକୁ ଆସିଥିବା ରୋଗୀ ଡାକ୍ତରଙ୍କ ଚେୟାରରେ ତାଙ୍କୁ ଦେଖିବା ପରେ ସେମାନଙ୍କର ସମସ୍ୟା କହିଥିଲେ। ଏହାପରେ ଉକ୍ତ ମାନସିକ ରୋଗୀ ଜଣକ ଚେକ୍‌ଅପ୍‌ କରି ଔଷଧ ମଧ୍ୟ ଲେଖି ଦେଇଥିଲେ। ଏହାପରେ ଜଣକ ପରେ ଜଣେ ରୋଗୀ ସେମାନଙ୍କ ପ୍ରେସକ୍ରିପଶନ ନେଇ ହସ୍ପିଟାଲ ଭିତରେ ଥିବା ମେଡିସିନ ଷ୍ଟୋରରେ ପହଞ୍ଚିବା ପରେ ନାଲି କଲମରେ ସମସ୍ତଙ୍କ ପ୍ରେସକ୍ରିପଶନ ଲେଖା ହୋଇଥିବା ଦେଖି ମେଡିସିନ୍‌ ଷ୍ଟୋର କର୍ମଚାରୀ ସନ୍ଦେହ କରି ଡାକ୍ତଙ୍କ ଚାମ୍ବରକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ତେବେ ଉକ୍ତ ମାନସିକ ରୋଗୀ ଜଣକ ନିଜକୁ ଏମ୍ସର ଡାକ୍ତର ବୋଲି କହୁଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ।

Share