ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।  ସେ ହେଲେ ଅଲସି ମିନିଆକା(୮)। ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଦୁଇଦିନ ତଳେ ଅଲସି ଜ୍ୱରରେ ପୀଡିତ ହୋଇଥିବା ବେଳେ ଶିକ୍ଷକ ତାଙ୍କୁ ଗୁରବାର ରାତିରେ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଥିବା ବାପା ଡମ୍ବରୁ ମିନିଆକା ଅଭିଯୋଗ କରିଛନ୍ତି । ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ପଚରାଯିବାରୁ, ଦୁଇଦିନ ତଳେ ଅଲସିଙ୍କୁ ଜ୍ୱର ହୋଇଥିଲା। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଇ ଗୁରୁତର ଅବସ୍ଥାରେ ଗୁରବାର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ସାଲାଇନ ଦିଆଯାଇ ଥିବା ବେଳେ ସେ ପାଣି ପିଇବାକୁ ମାଗିବାରୁ ପରିବାର ଲୋକେ ଆଣି ଦେଇଥିଲେ। ତାଙ୍କ ଛାତିରେ ପାଣି ଅଟକି ଯିବାରୁ ମୃତ୍ୟୁ ଘଟିଥିବା କହିଛନ୍ତି।