ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀ ଲାଞ୍ଚ ମାଗିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସିଥିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଛି।

ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକ ପାଇକସବା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ସ୍ତ୍ରୀ ସୁରେଖା ଗର୍ଭବତୀ ଥିଲେ। ଗତ ବୁଧବାର ସୁରେଖାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମହିଳାଙ୍କ ପ୍ରସବ ସ୍ବାଭାବିକ ହେବ କହି ଡାକ୍ତର ଓ ନର୍ସମାନେ ସୁରେଖାଙ୍କ ସମ୍ପର୍କୀୟଙ୍କୁ ଆଶ୍ୱାସନା ଦେଇଥିଲେ। ଏପରିକି ଡାକ୍ତର ଦିନ ଗଡେଇବା ସହ ସୁରେଖାଙ୍କ ଯନ୍ତ୍ରଣା ବଢିବାରେ ଲାଗିଥିଲା। ଏଣୁ ପରିବାର ଲୋକେ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ କହିଥିଲେ। ତଥାପି ଡାକ୍ତର ସ୍ବାଭାବିକ ପ୍ରସବ ହେବ କହି ସେମାନଙ୍କ ଅନୁରୋଧକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ଫଳରେ ଶନିବାର ଏକ ମୃତଶିଶୁକୁ ଜନ୍ମ ଦେଇଥିଲେ ସୁରେଖା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ସୁରେଖାଙ୍କ ସ୍ବାମୀ ଚନ୍ଦନ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।