ଡାକ୍ତରଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଅ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ୍‌,୩୧ା୩: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କାର୍ଯ୍ୟରତ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ (ପିପି) କିଟ୍‌ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଦାଏର ହୋଇଥିବା ଏହି ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ, ଓଡ଼ିଶାରେ କରୋନା ଭୂତାଣୁ ବିସ୍ତାର ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ଚିକିତ୍ସା ସେବା ଉପଲବ୍ଧ କରିବା ଜରୁରୀ ହୋଇପଡ଼ିଛି। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ରୋଗୀ ଉଭୟ ଇନ୍‌ଡୋର୍‌ ଏବଂ ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିବେ। ଏଭଳି ସମୟରେ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକରେ ବହୁ ସଂଖ୍ୟକ ଅଭିଜ୍ଞ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ିପାରେ। ସରକାର ତୁରନ୍ତ ଡାକ୍ତର ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ରୋଗୀ ସେବାରେ ନିୟୋଜିତ ଥିବା ସମସ୍ତ ଡାକ୍ତରଙ୍କୁ ପିପି କିଟ୍‌ ଯୋଗାଇ ଦେବା ମଧ୍ୟ ଜରୁରୀ। କାରଣ ସେମାନଙ୍କ ପାଖକୁ ଆସୁଥିବା ରୋଗୀ କରୋନା ଦ୍ୱାରା ଆକ୍ରାନ୍ତ କି ନାହିଁ, ସେ ସମ୍ପର୍କରେ ଡାକ୍ତରମାନେ ଜାଣିବା ସମ୍ଭବ ନୁହେଁ। ରୋଗୀଙ୍କଠାରୁ ଡାକ୍ତରଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ଅତି ଜରୁରୀ ନ ଥିଲେ ଡାକ୍ତରଙ୍କୁ ଛୁଟି ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚିକିତ୍ସାଳୟକୁ ଆସୁଥିବାବେଳେ ଲକ୍‌ଡାଉନ୍‌ ଯୋଗୁ ଅନେକ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ରାସ୍ତାରେ ଅଟକାଇ ଦେଇଥିବା ଘଟଣା ନଜରକୁ ଆସିଥିଲା। ଏହାକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଡାକ୍ତରଖାନା ଯିବା ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅନାବଶ୍ୟକ ଭାବେ ନ ଅଟକାଇବାକୁ ପୋଲିସ ବିଭାଗକୁ ସରକାର ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ କହିଛନ୍ତି। ସମସ୍ତ ଡାକ୍ତରଖାନାରେ ରୋଗୀଙ୍କୁ ଯେମିତି ଚିକିତ୍ସା ସେବା ମିଳିବ ଏବଂ କେହି ଜଣେ ହେଲେ ନିରାଶ ହୋଇ ଫେରିବେ ନାହିଁ, ତାହା ସୁନିଶ୍ଚିତ କରାଯାଉ। ଏନେଇ ସମସ୍ତ ସରକାରୀ ଏବଂ ଘରୋଇ ମେଡିିକାଲ୍‌କୁ ନିର୍ଦ୍ଦେଶ ଦେବାକୁ ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି।