Categories: ଜାତୀୟ

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଦିଲ୍ଲୀର ୪ବଡ଼ ହସ୍ପିଟାଲ ସମର୍ଥନ ଜଣାଇଛନ୍ତି। ଏହି ଆନ୍ଦେଳନରେ ଲୋକ ନାୟକ ସମେତ ଜି.ବି. ପନ୍ତ, ସୁଶ୍ରୁତ ଟ୍ରମା ସେଣ୍ଟର, ଗୁରୁ ନାନକ ଆଇ ସେଣ୍ଟର ଓ ମହର୍ଷି ବାଲ୍ମିକୀ ହସ୍ପିଟାଲ ସାମିଲ ହୋଇଛି। ହସ୍ପିଟାଲରେ ସୁରକ୍ଷା ଦାବି କରି ଡାକ୍ତରମାନେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି। ଫଳରେ ଏମରଜେନ୍ସୀ ସେବା ଠପ୍‌ ହେବା ସହ ରୋଗୀ ସେବା ବ୍ୟାହତ ହୋଇଛି। ଅପରପକ୍ଷରେ ଏହି ଆନ୍ଦୋଳନକୁ ଏମ୍ସର ଡାକ୍ତରମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରାଯାଇଛି। ସୂଚନାଯୋଗ୍ୟ, ରବିବାର ରାତିରେ ଏମରଜେନ୍ସୀ ଓ୍ବାର୍ଡରେ ରୋଗୀ ଚିକିତ୍ସାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ବିରୋଧ କରିବା ସହ ଡାକ୍ତରକୁ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ପୀଡ଼ିତ ଡାକ୍ତର ଆହତ ହୋଇଥିଲେ। ଘଟଣାକୁ ନେଇ ଉତ୍ତ୍ୟକ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Share