Categories: ଜାତୀୟ

ଡାକ୍ତରଙ୍କୁ ପିଟି ହତ୍ୟା: ୨୧ ଗିରଫ

ଗୁଆହାଟୀ,୩ା୯: ଦେଶରେ ଗତ କିଛି ବର୍ଷ ମଧ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇଛି। ଆସାମର ଜୋର୍‌ହାଟରେ ଥିତ୍ବା ଏକ ଚା’ ବଗିଚାରେ ଜଣେ ଡାକ୍ତରଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ପୋଲିସ ୨୧ ଜଣଙ୍କୁ ଗିରଫ କରିଥିବାବେଳେ ଉକ୍ତ ଇଷ୍ଟେଟ୍‌କୁ ବନ୍ଦ କରିଦିଆଯାଇଛି। ଭିଡ଼ହିଂସା ପ୍ରତିବାଦରେ ଜୋର୍‌ହାଟର ଡାକ୍ତରମାନେ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାବେଳେ ଭାରତୀୟ ମେଡିକାଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଧର୍ମଘଟ ପାଇଁ ଡାକରା ଦିଆଯାଇଛି।
ଗତ ଶନିବାର ଇଷ୍ଟେଟ୍‌ ପରିସରରେ ଅସ୍ଥାୟୀ କର୍ମଚାରୀ ସୋମ୍ରା ମାଝିଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ଦେବେନ ଦତ୍ତ (୭୩)ଙ୍କ ଅନୁପସ୍ଥିତି ଯୋଗୁ କର୍ମଚାରୀଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ଇଷ୍ଟେଟ୍‌ର ୨୫୦ ଜଣ କର୍ମଚାରୀ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଡାକ୍ତରଙ୍କର ରବିବାର ମୃତ୍ୟୁ ଘଟିଥିଲା। ଜୋର୍‌ହାଟ ଡେପୁଟି କମିଶନରଙ୍କ କହିବା ଅନୁଯାୟୀ ଶନିବାର ମଧ୍ୟାହ୍ନରେ ସୋମ୍ରାଙ୍କୁ ଗୁରୁତର ଅବସ୍ଥାରେ ଇଷ୍ଟେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଡାକ୍ତର ଦତ୍ତ ଅନୁପସ୍ଥିତ ଥିବାବେଳେ ଫାର୍ମାସିଷ୍ଟ ମଧ୍ୟ ଛୁଟିରେ ଥିଲେ। ଡ୍ୟୁଟିରେ ଥିବା ନର୍ସ ସାଲାଇନ ଲଗାଇବାର କିଛି ସମୟ ପରେ ସୋମ୍ରାଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଡାକ୍ତର ଦତ୍ତ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିବା ସହ ଏକ ଘରେ ତାଲା ପକାଇ ରଖିଥିଲେ। ପୋଲିସ ତାଙ୍କୁ ଉଦ୍ଧାରକରି ହସ୍ପିଟାଲ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅବସରପ୍ରାପ୍ତ ଡାକ୍ତର ଦତ୍ତ ଚା’ ବଗିଚାରେ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ। ଟାଟା ଟି ଲିମିଟେଡ୍‌ରୁ ଅଲଗା ହୋଇଥିବା ଅମଲଗାମେଟେଡ ପ୍ଲାଣ୍ଟେଶନ୍ସ ପ୍ରା.ଲିଃ ଅଧୀନରେ ଏହି ଟି ଇଷ୍ଟେଟ୍‌ ରହିଛି। ଡାକ୍ତରଙ୍କୁ ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ଡାକ୍ତର ସଂଘ। ସେ ଯେଉଁମାନଙ୍କୁ ସ୍ବେଚ୍ଛାକୃତ ଭାବେ ସେବା ଯୋଗାଉଥିଲେ ସେମାନେ ତାଙ୍କୁ ମାଡ଼ ମାରିବାବେଳେ ଟିକିଏ ବି ଭାବିଲେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Share