ଡାକ୍ତରଖାନା ପରିସରରେ ମୃତ ଶିଶୁ

ଅନୁଗୋଳ ଅଫିସ, ୧୯ା୧୦

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁର ଦେହରେ ନାଭି ଲାଗିଥିବାବେଳେ କେହି କପଡାରେ ଗୁଡାଇ ମେଡିକାଲର ପୁରୁଣା ଓଟି(ଏମ୍‌ଆରଆଇ ପାର୍ଶ୍ୱରେ ଥିବା ଔଷଧ ବିତରଣ କେନ୍ଦ୍ର) ସମ୍ମୁଖରେ ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ଶିଶୁକନ୍ୟା ସେଠାକୁ କିପରି ଆସିଲା, କିଏ ଏପରି ଅବସ୍ଥାରେ ଶିଶୁଟିକୁ ଛାଡିଥିବା ସମ୍ପର୍କରେ ମେଡିକାଲ ପ୍ରଶାସନ ନିକଟରେ ଖବର ନ ଥିବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନା ମୁତାବକ, ଭୋର ପ୍ରାୟ ସାଢେ ୪ଟାରୁ ସାଢେ ୫ଟା ସମୟରେ ମେଡିକାଲର ସଫେଇ କର୍ମଚାରୀମାନେ ଔଷଧ ବିତରଣ କେନ୍ଦ୍ର ନିକଟରେ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ସକାଳ ପ୍ରାୟ ୬ଟା ବେଳେ ମୃତଦେହକୁ ସଫେଇ କର୍ମଚାରୀମାନେ ଉଠାଇ ନେଇଥିବା ଜଣାପଡିଛି। ହେଲେ ଏ ସଂକ୍ରାନ୍ତରେ ମେଡିକାଲ ସୁପରଭାଇଜର ଶାନ୍ତନୁ କୁମାର ସ୍ବାଇଁଙ୍କୁ ପଚାରିବାରେ ଏଭଳି କିଛି ଘଟଣା ଡାକ୍ତରଖାନାରେ ଘଟି ନ ଥିବା କହିଛନ୍ତି। ଶିଶୁର ମୃତଦେହକୁ ବାୟୋବଜର୍ର୍ ପରିଚାଳନା ସ୍ଥାନରେ ପକାଯାଇଥିବା ଚର୍ଚ୍ଚା ହେଉଛି। ଘଟଣା ସମ୍ପର୍କରେ ଏଡିଏମ୍‌ଓ (ମେଡିକାଲ)ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ପଚାରିବାରେ, ଡାକ୍ତରଖାନା ପରିସରରେ ଏଭଳି ଘଟଣା ଘଟିଥିବା ସମ୍ପର୍କରେ ଗଣମାଧ୍ୟମ ନିକଟରୁ ଖବର ପାଇଥିବା ସେ କହିଥିଲେ। କିପରି ମେଡିକାଲ ପରିସରକୁ ମୃତଦେହ ଆସିଲା ସେ ସମ୍ପର୍କରେ ତଦନ୍ତ କରାଯିବ। ମେଡିକାଲରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଡାକ୍ତରଖାନା ପରିସରରୁ ଶିଶୁକନ୍ୟା ମୃତଦେହ ଉଦ୍ଧାର କରାଯିବା ଓ ସେଠାରୁ ସଫେଇ କର୍ମଚାରୀମାନେ ମୃତଦେହ ସ୍ଥାନାନ୍ତର କରିବା ଘଟଣା କିପରି ଖୋଦ ମେଡିକାଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।