ଡାକ୍ତରଖାନାରେ ୫ ଅନଶନକାରୀ ଚିକିତ୍ସାଧୀନ: ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ ରଖିଲା ଭିନ୍ନକ୍ଷମ ମଞ୍ଚ

କପ୍ତିପଦା,୩୦।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ଗତ ବୁଧବାରଠାରୁ ଧାରଣା ଓ ଆମରଣ ଅନଶନ ଆନ୍ଦୋଳନ ଜାରି ରହିଥିଲା। ପ୍ରଶାସନ ପକ୍ଷରୁ ଦାବି ପୂରଣ କରାଯିବା ଲାଗି ଆଶ୍ୱାସନା ଦିଆଯିବାରୁ ଶନିବାର ଅନଶନକୁ ସ୍ଥଗିତ ରଖାଯାଇଛି। ଅନଶନକାରୀଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହୋଇ ପଡିଥିବାରୁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମଞ୍ଚର ସଭାପତି ମନୋରଞ୍ଜନ ଜେନାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ପରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଭିନ୍ନକ୍ଷମଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ୭ ଦଫା ଦାବି ନେଇ ଏହି ଆମରଣ ଅନଶନ କରାଯାଇଥିଲା। ଶନିବାର ଅପରାହ୍ନରେ ସ୍ଥାନୀୟ ଉପଜିଲାପାଳ ଭଗବାନ ବେହେରା, ତହସିଲଦାର, ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ପ୍ରମୁଖ ଅନଶନ ସ୍ଥଳରେ ପହଞ୍ଚି ମଞ୍ଚର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏସମ୍ପର୍କରେ ମଞ୍ଚର ସମ୍ପାଦକ ସଞ୍ଜୟ ସ୍ବାଇଁ ସୂଚନା ଦେଇ କହିଛନ୍ତି ଯେ, ମଞ୍ଚର ସଭାପତି ମନୋରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ଆଲୋଚନା ଅସମ୍ପୂର୍ଣ୍ଣ ରହିଛି। ସୋମବାର ମଞ୍ଚର ସଭାପତି ଓ ଉପ ଜିଲାପାଳଙ୍କ ଉପସ୍ଥିତିରେ ପୁଣି ଥରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ । ଅନଶନରେ ବସିଥିବା ମଞ୍ଚ ସଭାପତିଙ୍କ ସମେତ ମନୋରଞ୍ଜନ ନାଏକ, ଜ୍ୟୋତ୍ସ୍ନାରାଣୀ ବେହେରା, ପତି ପଲେଇ ଓ ପ୍ରସନ୍ନ ମଢେଇଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ା