ଡାକ୍ତରଖାନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: କାର୍‌ ଭାଙ୍ଗି ମାରିଲେ ମାଡ଼

ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ଅସୁରକ୍ଷିତ ହୋଇ ପଡିଛି। ସ୍ଥାନୀୟ ଟାଉନ ଥାନାର ଅନତିଦୂରରେ ରହିଥିବା ଏହି ଡାକ୍ତରଖାନାରେ ବିଭିନ୍ନ ସାମଗ୍ରୀ, ମୋବାଇଲ ଚୋରି ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବାବେଳେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଦୁର୍ବୃତ୍ତଙ୍କ ଆକ୍ରମଣରୁ ମଧ୍ୟ ବାଦ ପଡ଼ୁ ନାହାନ୍ତି। ମଙ୍ଗଳବାର ଭୋରରୁ ୨ଯୁବକ ଡାକ୍ତରଖାନା ଭିତରକୁ ପଶି କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଡାକ୍ତରଖାନା ପରିସରରେ ରହିଥିବା ୨ଟି କାର୍‌, ପ୍ରସୂତୀ କକ୍ଷରେ ଭଙ୍ଗାରୁଜା କରିଛନ୍ତି। ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଦାବି କରି ଦୁର୍ବୃତ୍ତମାନେ ଏହି ଉନ୍ମୁକ୍ତ କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି୨ଅଭିଯୁକ୍ତଙ୍କୁ କାବୁ କରିଛି। ଅପରପକ୍ଷରେ ଘଟଣା ପରେ ସୁରକ୍ଷା ଦାବିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀମାନେ କାମ ବନ୍ଦ କରି ଡାକ୍ତରଖାନା ବାହାରେ ବସିଛନ୍ତି।