ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ ରାମ ରୋଟି’ ଅଭିଯାନ। ‘ଦଶବନ୍ଦ’ର ଅର୍ଥ ନିଜ ରୋଜଗାରର ଦଶ ପ୍ରତିଶତ ଅଂଶକୁ ଗରିବ ଏବଂ ନିଃସହାୟଙ୍କ ସେବାରେ ଲଗାଇବା। ଏଥିରୁ ପ୍ରେରିତ ହୋଇ ‘ଜଲାରାମ ପାନ୍‌ପୋଇ ରାମ ରୋଟି’ ଅଭିଯାନର ସଦସ୍ୟମାନେ ଡାକ୍ତରଖାନାରେ ଦୈନନ୍ଦିନ ଶହ ଶହ ଲୋକଙ୍କୁ ପେଟ ପୂରା ଖାଇବାକୁ ଦେଉଛନ୍ତି। ହସ୍ପିଟାଲରେ ଚାଲିଥିବା ଏହି ଅଭିଯାନ ପ୍ରାୟ ୧୭ବର୍ଷ ପୁରୁଣା। ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆସୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରେଣୀର। ଯେଉଁମାନେ ଔଷଧ କିଣିବା ଦୂରର କଥା ଦିନକୁ ଦି’ଓଳି ଠିକ୍‌ରେ ଖାଇବା ବି ଜୁଟାଇ ପାରନ୍ତି ନାହଁି। ‘ଜଲାରାମ ପାନପୋଇ ରାମ ରୋଟି କମିଟି’ ଏହି ଗରିବ ଶ୍ରେଣୀର ଲୋକ ଏବଂ ସେମାନଙ୍କ ସହ ଆସୁଥିବା ସମ୍ପର୍କୀୟଙ୍କୁ ତିନି ଓଳି ମାଗଣାରେ ଖାଇବାକୁ ଦେଉଛନ୍ତି। ତା’ସାଙ୍ଗକୁ ମାଗଣାରେ ପୋଷାକ ବି ବଣ୍ଟନ କରିଥାନ୍ତି। ଅମରାବତୀ ନିବାସୀ ରୂମସିଂହ ସୂର୍ଯ୍ୟବଂଶୀ ନିଜର କିଛି ସାଥୀ ସହଯୋଗୀଙ୍କ ସହ ମିଶି ଏହି ଅଭିଯାନକୁ ଆଗକୁ ବଢ଼ାଇ ଚାଲିଛନ୍ତି।

Share