ଲଖନପୁର, ୮।୧୦(ଡି.ଏନ.ଏ.)- ଝାରସୁଗୁଡା ଜିଲା ଲଖନପୁର ବ୍ଲକ ବନ୍ଧବାହାଲ ଫାଣ୍ଡି ଅଧୀନ ଏମ୍ସିଏଲ୍ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବେଲପାହାଡ଼ ଗୌନ୍ତିଆପଡ଼ାର ସହଦେବ ବୁଦ୍ଧିଆ(୬୫)। ସେ ବନ୍ଧବାହାଲ ଅଞ୍ଚଳରେ ଭିକ୍ଷାବୃତ୍ତି କରି ପେଟ ପୋଶୁଥିଲେ। ତାଙ୍କ ମୃତ୍ୟୁକୁ ନେଇ ସମ୍ପର୍କୀୟମାନଙ୍କୁ ଖବର ଦିଆଯାଇଥିଲେ ହେଁ ସେମାନେ ମୃତଦେହକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ବର୍ତ୍ତମାନ ବୃଦ୍ଧଙ୍କ ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ବୁଧବାର ବ୍ୟବଚ୍ଛେଦ ପରେ ପୋଲିସ ତରଫରୁ ତାଙ୍କର ସତ୍କାର କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ସହଦେବ କିଛିଦିନ ହେଲା ଅସୁସ୍ଥ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପଡ଼ିଥିଲେ। ଖବର ପାଇ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ଚିକିତ୍ସା ଲାଗି ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।


