ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାଠାରୁ ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁ ନାଳର ଜଳସ୍ତର ବୃଦ୍ଧି ପାଇଥିଲା। ବର୍ଷାପାଣି ନାଳରୁ ଉଛୁଳି ଡାଇଭର୍ସନ ରାସ୍ତା ଉପର ଦେଇ ପ୍ରବାହିତ ହୋଇଥିଲା। ରବିବାର ସକାଳୁ ସ୍ରୋତ ଆହୁରି ତୀବ୍ର ହୋଇଥିଲା। ଫଳରେ ଉକ୍ତ ଡାଇଭର୍ସନ ରାସ୍ତା ଧୋଇଯାଇଛି। ଏହାପରେ ବଣସିଂହ, ରାଧାଦେଈପୁର, ଚାଉଳିଆ, ସୋଗରପଶି ଏବଂ ଗଁଦିଆ ବ୍ଲକର କାଲୁରିଆ ପଞ୍ଚାୟତର ଲୋକେ ଜିଲା ସଦର ମହକୁମାକୁ ଆସିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ନିକଟରେ ଥିବା କେନାଲ ହୁଡ଼ା ଏବଂ ଯୋରନ୍ଦା ଦେଇ ଆସୁଛନ୍ତି, ଯାହା ସେମାନଙ୍କ ଲାଗି ବ୍ୟୟବହୁଳ ହୋଇଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ୱାରା ଢେଙ୍କାନାଳ-ବଣସିଂହ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତୁରନ୍ତ ଡାଇଭର୍ସନ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।