ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ବାଲି ବୋଝେଇ ଡମ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାର୍ଥା ଗ୍ରାମର ଜୟଦେବ ମଣ୍ଡଳ (୨୫)। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଡମ୍ପରରେ ନିଅଁା ଲଗାଇ ଦେଇଥିଲେ। ସିଂଲା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।
ଜୟଦେବ ବାଲେଶ୍ୱରରୁ ବାଇକ୍‌ ଯୋଗେ ଘରକୁ ଆସୁଥିଲେ। ଓଡ଼ିଶାଳ ଶିବ ମନ୍ଦିରଠାରେ ଏକ ବାଲି ବୋଝେଇ ଡମ୍ପର (ନଂ. ଓଡ଼ି୦୧ୱାଇ-୫୮୧୮) ବେପରୁଆ ଭାବେ ଦ୍ରୁତ ବେଗରେ ଆସି ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଯୋଗେ ମୃତ ଯୁବକଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। କ୍ଷତିପୂରଣ ସମ୍ପର୍କରେ ପୋଲିସ ଓ ପରିବାର ଲୋକେ ସଦର ତହସିଲଦାରଙ୍କ ସହିତ ମୋବାଇଲ ଯୋଗେ କଥା ହୋଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସେଠାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।