Categories: ଖେଳ

ଡବଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ :ବାର୍ଟିଙ୍କ ନିକଟତର ହେଲେ ପ୍ଲିସ୍‌କୋଭା

ପ୍ୟାରିସ, ୧୭ | ୯(ଏଏଫପି)-
ସୋମବାର ପ୍ରକାଶିତ ଡବଲ୍ୟୁଟିଏ(ଓମେନ୍ସ ଟେନିସ ଆସୋସିଏଶନ) ର଼୍ୟାଙ୍କିଙ୍ଗ୍‌ରେ ଆଶ୍‌ଲେ ବାର୍ଟିଙ୍କ ନିକଟତର ହୋଇଛନ୍ତି କାରୋଲିନା ପ୍ଲିସ୍‌କୋଭା। ଅଷ୍ଟ୍ରେଲିଆର ବାର୍ଟି ଶୀର୍ଷସ୍ଥାନ ବଜାୟ ରଖିଥିଲେ ହେଁ ଦ୍ୱିତୀୟ ସ୍ଥାନରେଥିବା ପ୍ଲିସକୋଭା ପଏଣ୍ଟ ବ୍ୟବଧାନ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଗତ ସପ୍ତାହ ଶେଷରେ ଜେଙ୍ଗଝୋଉ ଓପନ ଟାଇଟଲ ଜିତିଥିବା ଏହି ଚେକ୍‌ ରିପବ୍ଲିକ ଖେଳାଳି ବାର୍ଟିଙ୍କଠାରୁ ମାତ୍ର ୮୬ ପଏଣ୍ଟ ପଛରେ ରହିଛନ୍ତି। ଝେଙ୍ଗଝୋଉ ଓପନର ଫାଇନାଲରେ ସେ ୬-୩, ୬-୨ ସେଟ୍‌ରେ ପେତ୍ରା ମାର୍ଟିକଙ୍କୁ ହରାଇ ଚଳିତ ବର୍ଷର ୪ର୍ଥ ଟାଇଟଲ ହାସଲ କରିଥିଲେ। ”ବାର୍ଟିଙ୍କୁ ଶୀର୍ଷସ୍ଥାନରୁ ହଟାଇବା ନୁହେଁ, ବରଂ ଭଲ ଖେଳ ବଜାୟ ରଖିବା ମୋର ମୁଖ୍ୟ ଲକ୍ଷ୍ୟ। ଫଳାଫଳକୁ ଦୃଷ୍ଟି ନ ଦେଇ ମୁଁ ଟେନିସକୁ ଉପଭୋଗ କରିବାକୁ ଚାହୁଁଛି“ ବୋଲି ପ୍ଲିସ୍‌କୋଭା କହିଛନ୍ତି। ଟପ୍‌-୧୦ରେ ରହିଥିବା ମହିଳା ଟେନିସ ଖେଳାଳିମାନେ ହେଲେ ଆଶ୍‌ଲେ ବାର୍ଟି (ଅଷ୍ଟ୍ରେଲିଆ, ୬୫୦୧ ପଏଣ୍ଟ), କାରୋଲିନା ପ୍ଲିସ୍‌କୋଭା (ଚେକ୍‌ ରିପବ୍ଲିକ, ୬୪୧୫), ଏଲିନା ସ୍ବିତୋଲିନା (ୟୁକ୍ରେନ, ୫୧୩୧), ନାଓମି ଓସାକା (ଜାପାନ, ୪୮୪୬), ବାଏଙ୍କା ଆଣ୍ଡ୍ରେସ୍କୁ (କାନାଡ଼ା, ୪୮୩୫), ସିମୋନା ହାଲେପ (ରୋମାନିଆ, ୪୮୦୩), ପେତ୍ରା କ୍ୱିଟୋଭା (ଚେକ୍‌ ରିପବ୍ଲିକ, ୪୩୨୬), କିକି ବେର୍ଟେନ୍ସ (ନେଦରଲାଣ୍ଡ୍ସ, ୪୩୨୫), ସେରେନା ଓ୍ବିଲିୟମ୍ସ (ଆମେରିକା, ୩୯୩୫), ବେଲିଣ୍ଡା ବେଙ୍କିକ୍‌ (ସୁଇଜରଲାଣ୍ଡ, ୩୭୩୮)।

Share