Categories: ଖେଳ

ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ: ଲକ୍ଷ୍ୟଙ୍କୁ ଟାଇଟଲ

ଅଲମେର,୧୩।୧୦(ପି.ଟି.)- ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଭାରତର ଲକ୍ଷ୍ୟ ସେନ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସର ଅଲମେରଠାରେ ଖେଳାଯାଇଥିବା ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୧୮ ବର୍ଷୀୟ ଲକ୍ଷ୍ୟ ୧୫-୨୧, ୨୧-୧୪, ୨୧-୧୫ରେ ବିଶ୍ୱର ୧୬୦ ନମ୍ବର ଖେଳାଳି ଜାପାନର ୟୁସୁକ ଓନୋଡେରାଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ବିଜୟୀ ହେବା ପାଇଁ ତାଙ୍କୁ ୬୩ ମିନିଟ ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ଲକ୍ଷ୍ୟ କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଟାଇଟଲ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦ ବିବେଚିତ ହେଉଛି। ପ୍ରଥମ ଗେମ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଓ ତୃତୀୟ ଗେମ୍‌କୁ ହାତେଇ ନେଇଥିଲେ। ଲକ୍ଷ୍ୟ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗର ୭୨ତମ ସ୍ଥାନରେ ରହିଛନ୍ତି। ଗତମାସ ସେ ବେଲଜିଆନ ଓପନ ଟାଇଟଲ ହାସଲ କରିଥିଲେ। ଚଳିତ ବର୍ଷ ସେ ମଧ୍ୟ ପୋଲିସ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ସେ ମଧ୍ୟ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ରେ ଚାମ୍ପିୟନ ହୋଇଥିଲେ। ଯୁବ ଅଲିମ୍ପିକ୍ସ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ। ସେହିପରି ଗତବର୍ଷ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ସେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଜୁନିୟରସ୍ତରରେ ବେଶ ସଫଳ ରହିଥିବା ଲକ୍ଷ୍ୟ ବ୍ୟାଡିଣ୍ଟନ୍‌ରେ ଭାରତର ଭବିଷ୍ୟତ ବୋଲି ବିବେଚିତ ହେଉଛନ୍ତି।

Share