Categories: ଖେଳ

ଡଚ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ମୀର, ମାନସୀଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨ା୩ (ପି.ଟି.)-ଭାରତୀୟ ବାଳିକା ବ୍ୟାଡ୍‌ମିଣ୍ଟନ ଖେଳାଳି ତସନିମ ମୀର ଏବଂ ମାନସୀ ସିଂ ନେଦରଲାଣ୍ଡ୍ସର ହାର୍ଲେମ୍‌ଠାରେ ଅନୁଷ୍ଠିତ ୟୋନେକ୍ସ ଡଚ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ୨୦୨୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ବାଳିକା ସିଙ୍ଗଲ୍ସରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଡବ୍ଲ୍ୟୁଏଫ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ବାଳିକା ସିଙ୍ଗଲ୍ସରେ ଭାରତ ପ୍ରଥମ ଥର ଦୁଇଟି ବ୍ରୋଞ୍ଜ ପଦକ ଜିତିପାରିଛି। ରବିବାର ଅନୁଷ୍ଠିତ ସେମିଫାଇନାଲରେ ମୀର ତୃତୀୟ ସିଡ୍‌ ସୋ ୟୁଲ୍‌ ଲି’ଙ୍କ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଥିଲେ ହେଁ ୧୯-୨୧, ୧୦-୨୨ରେ ପରାସ୍ତ ହୋଇଥିଲେ। ଗତବର୍ଷ ଦୁବାଇ ଇଣ୍ଟରନ୍ୟାଶନାଲ ସିରିଜରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୧ତମ ସିଡ୍‌ ମୀର ଡଚ୍‌ ଟୁର୍ନାମେଣ୍ଟରେ ତାଙ୍କଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳିଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏଶନ (ବାଇ) ପ୍ରକାଶ କରିଛି। ଟୁର୍ନାମେଣ୍ଟରେ ମାନସୀଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି। ସେ ସେମିଫାଇନାଲରେ କଡ଼ା ଟକ୍ୱର ଦେଇଥିଲେ ମଧ୍ୟ ଇଣ୍ଡୋନେସିଆର ସାଇଫି ରିଜ୍‌କା ନୁରହିଦୟାଙ୍କଠାରୁ ୧୧-୨୧, ୧୬-୨୧ରେ ହାରିଯାଇଥିଲେ। ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବର୍ଲିନରେ ମାର୍ଚ୍ଚ ୪ରୁ ୮ ପର୍ଯ୍ୟନ୍ତ ହେବାକୁଥିବା ୟୋନେକ୍ସ ଜର୍ମାନ ଜୁନିୟର ୨୦୨୦ରେ ଭାଗ ନେବେ।

Share