ଡଗରପଡା ଓ ଅଚ୍ୟୁତପୁରରୁ ସିରିଏଲ୍‌ ଚୋରି

ଖଇରା,୮।୧(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ଦିରର ସମସ୍ତ ହୁଣ୍ଡି ଭାଙ୍ଗି ଦାନ ଟଙ୍କାକୁ ନେଇଯାଇଥିବା ମନ୍ଦିର ପୂଜକ ଖଇରା ଥାନାରେ ଏତଲା ଦେଇଛନ୍ତି। ସେହିପରି ଚୋରମାନେ ଡଗରପଡା ପଞ୍ଚାୟତ ବଡବାହାଦଲପୁର ମନ୍ଦିରରୁ ରୁପା ମୁକୁଟ ଓ ବଂଶୀ, ମା ତାରିଣୀ ମନ୍ଦିରରୁ ରୁପା ମୁକୁଟ ଓ ଚିତା, ଜଗନ୍ନାଥ ମାଉସୀ ବାଡି ମନ୍ଦିରରୁ ବିଭିନ୍ନ ସାମଗ୍ରୀ ନେଇ ପଳାଇଛନ୍ତି। ଅପରପକ୍ଷେ ଅଚ୍ୟୁତପୁର ପଞ୍ଚାୟତ ଶିରିପୁର ଗାଁରେ ଥିବା ବଉଳାଶୁଣୀ ମନ୍ଦିରରୁ ମଧ୍ୟ ରୁପା ମୁକୁଟ, ସୁନା କଲରା ଏବଂ ମଙ୍ଗଳସୂତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବରପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।