Categories: ରାଜ୍ୟ

ଡକାୟତି, ଲୁଟ୍‌ ଘଟଣାରେ ୭ ଗିରଫ

ଢେଙ୍କାନାଳ ଅଫିସ,୨୩ା୭

ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ୧୯ଟି ଡକାୟତି ଓ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଢେଙ୍କାନାଳ ଜିଲା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୭ଟି ବାଇକ୍‌, ୪ଟି ମୋବାଇଲ, ୩ଟି ଲାପଟପ୍‌ ଓ ୩ଟି ବାୟୋମେଟ୍ରିକ ଡିଭାଇସ୍‌ ସହ ଭୁଜାଲି, ଖଣ୍ଡା ଓ ଲୁହାରଡ ଜବତ କରାଯାଇଛି। ଏ ସମ୍ପର୍କରେ ସୋମବାର ଅପରାହ୍ନ ୫ଟାରେ ଏସ୍‌ପି ଅନୁପମା ଜେମ୍‌ସ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ବଡବାହାଳି ଗ୍ରାମର କୁନା ପ୍ରଧାନ(୨୩), ପରଜଙ୍ଗ ଥାନା କଲଦା ବାଲିସାହି ଅଞ୍ଚଳର ଅଜୁ ଓରଫ୍‌ ଚତୁର୍ଭୁଜ ନାୟକ, କଣ୍ଟାବଣିଆ ଥାନା ତଳବାହାଳ ଅଞ୍ଚଳର ବାବୁଲ ବେହେରା, ପରଜଙ୍ଗ ଥାନା କୁଟୁରିଆ ଗ୍ରାମର କ୍ଷମାନନ୍ଦ ନାୟକ, ଗଣ୍ଡାତଇଳା ଗ୍ରାମର ବୀରେନ୍ଦ୍ର ନାୟକ ଓ କଲଦା ଗ୍ରାମର ଚିତ୍ରସେନ ନାୟକ ଏବଂ ସଦର ଥାନା ରସାସିଂହ ଗ୍ରାମର ଲିପୁନ ନାୟକ ା
ଏସ୍‌ପିଙ୍କ ସୂଚନା ମୁତାବକ, ୧୯ଟି ମାମଲା ମଧ୍ୟରୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ୯ଟି, ସଦର ଥାନା ଅଞ୍ଚଳରେ ୨ଟି, କଣ୍ଟାବଣିଆ ଓ କାମାକ୍ଷାନଗର ଥାନା ଅଞ୍ଚଳରେ ଗୋଟିଏ ଘଟଣା ରହିଛି ା ସେହିପରି ଅନୁଗୋଳ ଜିଲା ସମଲ ଥାନା, କିଶୋରନଗର ଓ ବିକ୍ରମପୁର ଥାନା ଅଞ୍ଚଳରେ ଗୋଟିଏ ଲେଖାଏ, ହଣ୍ଡପା ଥାନା ଅଞ୍ଚଳରେ ଦୁଇଟି, ବଅଁରପାଳ ଥାନା ଅଞ୍ଚଳରେ ଗୋଟିଏ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଅଛନ୍ତି। ଗତ ୨/୩ ମାସ ମଧ୍ୟରେ ଏହି ଲୁଟ୍‌ ଘଟଣା ଘଟିଛି। ଅଭିଯୁକ୍ତମାନେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା କର୍ମଚାରୀମାନଙ୍କଠାରୁ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଓ ଆକ୍ରମଣ କରି ଟଙ୍କା ଲୁଟ୍‌ କରିଛନ୍ତି ା ଲୁଟ୍‌ ଟଙ୍କାକୁ ସେମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିବା ଏସ୍‌ପି ସୂଚନା ଦେଇଥିଲେ। ପରଜଙ୍ଗ ଥାନା ଅଞ୍ଚଳରେ ବାଇକରେ ଯାଉଥିବା ଜଣେ ଡାକ୍ତରଙ୍କୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଭାବି ମଧ୍ୟ ଅଭିଯୁକ୍ତମାନେ ଲୁଟ୍‌ କରିଥିଲେ ା ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ଓ କାମାକ୍ଷାନଗର ଥାନା ଏସ୍‌ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ, ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଝାରଗାଡିଆ ଫାଣ୍ଡି ଏସ୍‌ଆଇ ବିଜନ କୁମାର ସେଠି ଓ ଦଦରାଘାଟି ଫାଣ୍ଡି ଏସ୍‌ଆଇ ସମରଜିତ୍‌ ନାୟକ, ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ବୋଲି ଏସ୍‌ପି ସମ୍ମିଳନୀରେ ସୂଚନା ଦେଇଥିଲେ ା