ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଉକ୍ତ ଗ୍ରାମର କାଳିଆ ସାହୁଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଇ ଦିଆଯାଇଛି।
ତଦନ୍ତକାରୀ ପୋଲିସ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସଆଇ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ସୂଚନାନୁଯାୟୀ, ଗତ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ମହିଳା ବନରକ୍ଷୀ ଅଶ୍ୱିନୀ କୁମାରୀ ନାହାକଙ୍କ ସହ ପାରା ବନ କର୍ମଚାରୀ ଗୁରୁନାଥ ଗୌଡ଼ ବନମାଳୀ ଗ୍ରାମରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଅଭିଯୁକ୍ତ କାଳିଆ ଚୋରା କାଠ ମହଜୁଦ ରଖିଥିବା ଜଣାପଡିଥିଲା। ଏ ନେଇ ଗୁରୁନାଥ କାଳିଆଙ୍କୁ ପଚାରିବାରୁ ସେ ଉତ୍ତେଜିତ ହୋଇ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ପ୍ରତିବାଦ କରିବାରୁ ମହିଳା ବନରକ୍ଷୀ ଅଶ୍ୱିନୀ କୁମାରୀଙ୍କୁ କାଳିଆଙ୍କ ମା’ କାତିଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ମହିଳା ବନରକ୍ଷୀଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆକ୍ରମଣରେ ବ୍ୟବହୃତ ଠେଙ୍ଗାକୁ ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି। ଏହା ସହ ଥାନାରେ ନଂ. ୫୭/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା।