Categories: ଜାତୀୟ

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା ପରେ ସେ ନିଜ ମନର କଥା କହିଛନ୍ତି। ଅଜିତ ପାଓ୍ବାରଙ୍କ ସହ ମିଶି ସରକାର ଗଢିବା ତାଙ୍କ ପାଇଁ ଭୁଲ ଥିଲା କି ବୋଲି ପଚରାଯିବାରୁ ସେ କହିଥିଲେ, ଠିକ୍‌ ସମୟରେ ଏହାର ଉଚିତ ଜବାବ ଦେବି। ବାସ୍‌ ଏନେଇ ସେ ଅଧିକ କିଛି କହି ନ ଥିଲେ। ଇସ୍ତଫା ପରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସେ କହିଥିଲେ, ନିର୍ବାଚନ ବେଳେ ଆମେ ଶିବସେନା ସହ ମିଶି ମାହାୟୁତି ଗଠନ କରିଥିଲୁ। ସରକାର ଗଠନ ପାଇଁ ଲୋକେ ମାହାୟୁତିକୁ ଚୟନ କରିଥିଲେ ଏବଂ ଭାଜପା ସର୍ବାଧିକ ଆସନ ପାଇଥିଲା। ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ୭୦% ଥିଲା। ଆମେ ସରକାର ଗଠନ କରିବାକୁ ପ୍ରୟାସ କରିଥିଲୁ। ଶିବସେନା ସହ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ କେବେହେଲେ ଆଲୋଚନା ହୋଇ ନ ଥିଲା। ଅମିତ ଶାହଜୀ ମଧ୍ୟ ଏ କଥା ସ୍ପଷ୍ଟ କରିସାରିଛନ୍ତି। ଏହି ଘଟଣାକୁ ନେଇ ଭାଜପାକୁ ଶିବସେନା ଧମକାଇଥିଲା। ନିର୍ବାଚନ ପୂର୍ବରୁ ଯାହା ଆଲୋଚନା ହୋଇଥିଲା, ଆମେ ଶିବସେନାକୁ ସେ ସବୁ ଦେବାକୁ ନିଷ୍ପତ୍ତି ନେଇଥିଲୁ। ଏଥିପାଇଁ ଆମେ ଶିବସେନା ସହ ଆଲୋଚନା କରିବାକୁ ମଧ୍ୟ ଚାହିଁଥିଲୁ। ହେଲେ ଶିବସେନା ସବୁକିଛି ଶେଷ କରିଦେଲା।

Share