ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୧୫।୧୧: ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଡକାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ଗଞ୍ଜାମ ଜିଲା ଠିକାଦାର ସଂଘ ସାମିଲ୍‌ ହୋଇଛି । ଏ ନେଇ ଗତ ୧ ତାରିଖଠାରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯାହା ଫଳରେ ଉନ୍ନୟନ କାର୍ଯ୍ୟଗୁଡ଼ିକର ନିର୍ମାଣ ଏକ ପ୍ରକାର ଠପ୍‌ ହୋଇଯାଇଛି । ଯଦି ରାଜ୍ୟ ସରକାର ତୁରନ୍ତ ସଂଘର ୧୦ ଦଫା ଦାବି ପୂରଣ ନ କରନ୍ତି, ତେବେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ସଂଘର ଶତାଧିକ ସଦସ୍ୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟଠାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ । ଠିକାଦାର ବିରୋଧୀ ବିଭିନ୍ନ ନିୟମକାନୁନ୍‌, ନକାରାମତ୍କ ମନୋଭାବ ଏବଂ ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା। ପରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲ୍‌ଟି ରସିଦ ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି । ଏଭଳି କୌଣସି ବ୍ୟବସ୍ଥା ନ ଥିବା ବେଳେ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରିଛି ।