ଟ୍ୟୁଶନ ଯିବାବେଳେ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପୋଲିସକୁ ଡେମୋ ଦେଖାଇଲେ ଅଭିଯୁକ୍ତ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକରୋଡ,୧ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଅସଦାରଚରଣ ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ କଟକ ଜିଲା ବାଙ୍କୀ ଥାନା ଗୋପାଳପୁର ଅଞ୍ଚଳର ଦୀପକ ସାହୁ। ସେ ଶହୀଦ ନଗର ଥାନା ଅଧୀନ ଗଉଡ ସାହି ବସ୍ତିରେ ରହୁଥିବାବେଳେ ଜଣେ ଫଳ ବ୍ୟବସାୟୀ ଏବଂ ଏକ ପ୍ରତିଷ୍ଠିତ ହାଟର ସଭ୍ୟ ଥିଲେ। ପ୍ରଥମେ ଛାତ୍ରୀଙ୍କ ପରିବାର ଅଭିଯୋଗକ୍ରମେ ପୋଲିସ ୨୩୦/୧୯ରେ ମାମଲା ରୁଜୁ କରି ଚୁପ ହୋଇଯାଇଥିଲା। ଏପରିକି ଅସଦାଚରଣ ସମୟର ସିସିଟିଭି ଫୁଟେଜ ପୋଲିସ ପାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ପରିବାର ଲୋକେ ଚିନ୍ତାରେ ଥିଲେ। ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ନ ପଡି ଖୁଲମଖୁଲା ବାହାରେ ବୁଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଅଭିଯୁକ୍ତ ଫେରାର ହେବାସହ ପୋଲିସ ତତ୍ପରତା ହୋଇ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଫଟୋ ସହ ସେ ଅସଦାଚରଣ ବେଳେ ବ୍ୟବହାର ସ୍କୁଟି ନଂ ଠାବ ପାଇଁ ପୋଲିସ ଛାତ୍ରୀଙ୍କ ପରିବାର ସହ ସ୍ଥାନୀୟ ଲୋକଙ୍କୁ ଅଭିଯୁକ୍ତଙ୍କ ବାବଦରେ ପଚରାଉଚୁରା କରିଥିଲା। ଛାତ୍ରୀଜଣଙ୍କ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟିର ସମ୍ପୂର୍ଣ୍ଣ ନଂ କହିପାରି ନ ଥିବାବେଳେ କେବଳ ୪ଅଙ୍କ ବିଶିଷ୍ଟ ନଂ ଥିବା ପୋଲିସକୁ କହିଥିଲେ। ପରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉକ୍ତ ନଂ ଥିବା ବିଭିନ୍ନ ଗାଡିର କାଗଜପତ୍ର ଯାଞ୍ଚ ପରେ ଦୀପକଙ୍କ ପତ୍ତା ମିଳିଥିଲା ବୋଲି ଲକ୍ଷ୍ମୀସାଗର ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି। ପରେ ପୋଲିସ ଓ ଅଭିଯୁକ୍ତଙ୍କ ଲୁଚକାଳି ଖେଳ ପରେ ଶୁକ୍ରବାର ରାତିରେ ଦୀପକ ଖୋର୍ଦ୍ଧା ସହରରୁ ଧରାପଡିଥିଲେ। ତେବେ ଟିଆଇ(ଟେଷ୍ଟ ଆଇଡେଣ୍ଟିଫିକେଶନ) ପରେଡ କରିବା ପାଇଁ ପୋଲିସ ଅଭିଯୁକ୍ତଙ୍କ ବାବଦରେ କୌଣସି ତଥ୍ୟ ଦେଇ ନ ଥିଲେ। ଅନ୍ୟପକ୍ଷରେ ଶନିବାର ଅପରାହ୍ନ ସାଢ଼େ ୧ଟାରେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନାଧିକାରୀ ଦୟାନିଧି ନାୟକ ଅଭିଯୁକ୍ତଙ୍କୁ ଧରି ଅସଦାଚରଣ ହୋଇଥିବା ସ୍ଥଳକୁ ନେଇଥିଲେ। ଆରମ୍ଭରୁ ଛାତ୍ରୀଙ୍କୁ ପିଛା କରିବାଠାରୁ ଶେଷ ଘଟଣା ପର୍ଯ୍ୟନ୍ତ ହୋଇଥିବା ସମସ୍ତ ସୂଚନା ସେ ପୋଲିସ ଆଗରେ ମାନିଥିଲେ। ପ୍ରାୟ ୧୦ମିନିଟରୁ ଊର୍ଦ୍ଧ୍ୱ ସମୟ ପାଇଁ ଅଭିଯୁକ୍ତ ଡେମୋ ଦେଖାଉଥିବାବେଳେ ତାଙ୍କୁ ଦେଖିତ୍ବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜିତ ହୋଇଥିଲେ। ଦୀପକଙ୍କ ମୁହଁରେ ଘୋଡ଼ା ଯାଇଥିବା କପଡ଼ାକୁ ଖୋଲିବା ପାଇଁ ଲୋକେ ପୋଲିସକୁ କହିବା ସହ ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ସହ କଠୋର ଦଣ୍ଡ ଦେବା ପାଇଁ ପ୍ରତିକ୍ରିୟା ରଖିଥିଲେ। ଉତ୍ତେଜିତ ଲୋକଙ୍କଠାରୁ ଅଭିଯୁକ୍ତଙ୍କୁ ପୋଲିସ ନେବାରେ ନାକେଦମ ହୋଇପଡିଥିଲା। ଭିଡ ସ୍ଥାନରୁ ପୋଲିସ ଭ୍ୟାନକୁ ଚାଳକ ବାହାର କରି ନ ପାରିବାରୁ ଏସିପି ଓ ଥାନାଧିକାରୀ ଅଭିଯୁକ୍ତଙ୍କୁ ଏକ ଅଟୋରେ ଥାନାକୁ ନେଇଥିଲେ। ଅଭିଯୁକ୍ତଙ୍କ ଟିଆଇ ପରେଡ ପାଇଁ କୋର୍ଟଙ୍କ ଅନୁମତି ମଗାଯାଇଛି। ପରେଡ ପରେ ଦୀପକ ଅନ୍ୟକୌଣସି ଅପରାଧରେ ଜଡିତ ଅଛନ୍ତି କି ନାହିଁ ସେନେଇ ତାଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଥାନାଧିକାରୀ ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଭୋର ପ୍ରାୟ ୫ଟା ୪୫ରେ ଜଣେ ଛାତ୍ରୀ ଟ୍ୟୁଶନ ଯିବାବେଳେ ଦୀପକ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିବା ସହ ଟଣାଓଟରା କରିଥିଲେ।