ଟ୍ୟାଙ୍କର ଧକ୍କାରେ ଛାତ୍ରୀ ମୃତ, ୨ ଗୁରୁତର

କୁଜଙ୍ଗ, ୧୮।୯(ସ୍ବ.ପ୍ର.): କଟକ-ପାରାରୀପ ରାସ୍ତାର ପଙ୍କପାଳ ଛକ କୁଜଙ୍ଗ ନିକଟରେ ବୁଧବାର ଟ୍ୟାଙ୍କର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ହେଲେ ପଙ୍କପାଳ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତଥା ମନ୍ତ୍ରୀପଡ଼ା ନିବାସୀ ନାଣ୍ଡୁ ବେହେରାଙ୍କ ଝିଅ ପୂର୍ଣ୍ଣିମା(୧୪)। ଗୁରୁତରଦ୍ୱୟଙ୍କ ଘର ନାଉଗାଁ ଅଞ୍ଚଳରେ ବୋଲି ଜଣାପଡିଛି।
ପ୍ରକାଶ ଯେ, କଟକରୁ ପାରାଦୀପ ଅଭିମୁଖେ ଟ୍ୟାଙ୍କର(ନଂ.୦୬ ଏଆର୍‌ ୭୯୭୪) ଯାଉଥିଲା। ପଙ୍କପାଳଠାରେ ଟ୍ୟାଙ୍କରଟି ଏକ ବାଇକ୍‌ରେ ଯାଉଥିବା ୨ ଯୁବକଙ୍କୁ ଧକ୍କା ଦେଇଥିଲା। ପରେ ଟ୍ୟୁସନସାରି ପୂର୍ଣ୍ଣିମା ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ମଧ୍ୟ ଧକ୍କା ଦେଲା। ସଙ୍ଗେ ସଙ୍ଗେ ପୂର୍ଣ୍ଣିମାଙ୍କୁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁରୁତରଦ୍ୱୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କୁଜଙ୍ଗ ଆଇଆଇସି ଦିଲୀପ ସାହୁଙ୍କ ସହ ଏକ ପ୍ଲାଟୁନ ପୋଲିସ ଫେର୍ସ ମୁତୟନ ଅଛନ୍ତି। ଦୁର୍ଘଟଣା ଘଟଣାଇଥିବା ଗାଡ଼ି ଚାଳକଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଛନ୍ତି। ତେବେ ଚାଳକ ମଦ୍ୟପାନକରି ଗାଡି ଚଳାଉଥିବା ଅଭିଯୋଗ ହୋଇଛି ।