ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ ରବିବାର ତାଙ୍କ ମୃତଦେହ ଉଦ୍ଧାର କରି ନଂ. ୪୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା କହିଛି।
ପ୍ରକାଶ ଯେ, ରବି ଏକ ଫାଷ୍ଟଫୁଡ଼ ଦୋକାନରେ କାମ କରନ୍ତି। ତାଙ୍କ ମା ଉକ୍ତ ଦୋକାନ ମାଲିକଙ୍କଠାରୁ ରବିଙ୍କର ଗତମାସ ଦରମା ବାବଦକୁ ପାଇବାକୁ ଥିବା ଟଙ୍କା ମାଗି ନେଇଯାଇଥିଲେ। ଏହା ରବି ଜାଣିବା ପରେ ମା’ଙ୍କ ସହ ଝଗଡା କରିଥିଲେ। ଶନିବାର ସନ୍ଧ୍ୟାରେ ସେ ଘରେ କାହାକୁ କିଛି ନ କହି କେଉଁଆଡେ ଚାଲି ଯାଇଥିଲେ। ରାତିରେ ରାମନଗର ଲେଭଲ କ୍ରସିଂ ନିକଟସ୍ଥ ରେଳଧରଣାରୁ ପୋଲିସ ଏକ ମୃତଦେହ ଉଦ୍ଧାର କରି ତା ନିକଟରୁ ମିଳିଥିବା ଆଧାର କାର୍ଡ ମାଧ୍ୟମରେ ତାଙ୍କ ପରିଚୟ ସ୍ପଷ୍ଟ କରିଛି।