ଟ୍ରେନ୍‌ରେ ଟେଣ୍ଟ ତିଆରି କଲେ ଅକ୍ଷୟଙ୍କ ଲଳନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ହାଉସ୍‌ଫୁଲ-୪’ ଦୀପାବଳି ଅବସରରେ ଅକ୍ଟୋବର ୨୫ରେ ପରଦାକୁ ଆସିବ। ଆଉ ଏଥିପାଇଁ ଫିଲ୍ମର ପ୍ରୋମୋଶନରେ ଜୋରସୋରରେ ଲାଗିପଡ଼ିଛନ୍ତି କଳାକାରମାନେ। ତେବେ ବ୍ୟସ୍ତତା ମଧ୍ୟରେ ବି ଷ୍ଟାରକାଷ୍ଟଙ୍କ ମସ୍ତି ଓ ଅକ୍ଷୟ କୁମାରଙ୍କ ଝିଅର ଏକ ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଭିଡିଓରେ ଫିଲ୍ମର ଷ୍ଟାରକାଷ୍ଟମାନେ ମଜାମସ୍ତି କରୁଥିବା ବେଳେ ଅନ୍ୟଟିରେ ଅକ୍ଷୟଙ୍କ ଲଳନା ନୀତାରା ଟ୍ରେନ୍‌ରେ ଟେଣ୍ଟ ତିଆରି କରୁଥିବା ଦେଖିବାକୁ ମିଳିଛି। କଥା ହେଉଛି ଗୁରୁବାର ହାଉସ୍‌ଫୁଲ-୪ର କଳାକାରଙ୍କୁ ନେଇ ଯାଉଥିବା ଏକ୍ସପ୍ରେସ ଟ୍ରେନ୍‌ଟି ଫିଲ୍ମର ପ୍ରମୋଶନ ପାଇଁ ମୁମ୍ବାଇରୁ ଆସି ଦିଲ୍ଲୀରେ ପହଞ୍ଚିଥିଲା। ଏହି ସ୍ବତନ୍ତ୍ର ଯାତ୍ରା ଅବସରରେ ଅଭିନେତା ଅକ୍ଷୟଙ୍କ ସହ ଫିଲ୍ମର ପୁରା କାଷ୍ଟ, କ୍ର୍ୟୁ, ମିଡିଆ ଓ ଝିଅ ନୀତାରା ବି ସାଙ୍ଗରେ ଥିଲେ। ତେବେ ୧୭ଘଣ୍ଟାର ଏହି ଯାତ୍ରାରେ କାଳେ ଝିଅ ବୋର ହୋଇଯିବ ଏବଂ କିପରି ତାର ମନୋରଞ୍ଜନ କରାଯିବ ସେନେଇ ଚିନ୍ତିତ ଥିଲେ ବାପା ଅକ୍ଷୟ। ହେଲେ ନୀତାରା ଟ୍ରେନ୍‌ ଭିତରେ ମନକୁ ମନ ନିଜର ମନୋରଞ୍ଜନ କରିଥିଲେ। ପ୍ରଥମେ ସେ ଏକ ଟେଣ୍ଟ କରି ଗଦି ଉପରେ ଡିଅଁ।ଡେଇଁ କରି ଖେଳିବାକୁ ଲାଗିଥିଲେ। ଏହା ଏକ ମଜାଳିଆ ମୂହୁର୍ତ୍ତ ଥିବା ବେଳେ ଏହାକୁ ନିଜ କ୍ୟାମେରାରେ ତୋଳି ନେଇଥିଲେ ଅକ୍ଷୟ। ଅନ୍ୟପଟେ ଆଉ ଏକ ଭିଡିଓରେ ଅକ୍ଷୟ ଓ ତାଙ୍କ ସହ-କଳାକାର ଫିଲ୍ମର ଏକ ଗୀତ ‘ବାଲା’ର ତାଳେ ତାଳେ ଝୁମିଥିବା ନଜର ଆସିଛନ୍ତି। ଏହି ୨ଟି ଭିଡିଓକୁ ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Share