ଟ୍ରାଫିକ୍‌ ଜାମ ଯୋଗୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣା: ଏକ ଘଣ୍ଟା ନୁହେଁ ୨୨ ମିନିଟ ୩୮ ସେକେଣ୍ଡ ଲାଗିଥିବା କହିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାଫିକ ଜାମ୍‌ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ର ନୀଲ ନୀତୀଶ ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ପରୋକ୍ଷରେ ମିଛ ବୋଲି କହିଛି କମିଶନରେଟ୍‌ ପୋଲିସ। ଘଟଣାଦିନ ଆମ୍ବୁଲାନ୍ସ ଟାଇମିଂ ଦେଇ ଏହାକୁ ମିଥ୍ୟା ଦର୍ଶାଯାଇଛି। କ୍ୟାପିଟାଲ ହସ୍ପିଟାଲରୁ କିମ୍ସରେ ପହଞ୍ଚିବା ପାଇଁ ଆମ୍ବୁଲାନ୍ସକୁ ୨୨ ମିନିଟ୍‌ ୩୮ ସେକେଣ୍ଡ ଲାଗିଥିଲା ବୋଲି ନିଜ ଟୁଇଟର ହ୍ୟାଣ୍ଡେଲରେ କମିଶନରେଟ୍‌ ପୋଲିସ ଟାଇମିଂ ଦେଇଛି। ଏଣୁ ଆମ୍ବୁଲାନ୍ସକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ନେଇ ମୃତ ଶିଶୁର ବାପା ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କୁହାଯାଇଛି। ଅପରପକ୍ଷେ ୩ ଦିନ ପରେ ପୋଲିସ ଟାଇମିଂ ଦେଇଥିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ପ୍ରକାଶ ଯୋଗ୍ୟ, ବେହେରା ସାହି ଛକ ନିକଟରୁ ଟ୍ରାଫିକ ସମସ୍ୟା ଉପୁଜିବା ପରେ ଜୟଦେବବିହାର, ନାଲ୍‌କୋ ଛକ, ଡମଣା ଛକ ଆଦିରେ ଆମ୍ବୁଲାନ୍ସ ଫସିଯାଇଥିଲା। ଫଳରେ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ବୋଲି ମୃତ ଶିଶୁଙ୍କ ବାପା ଅଭିଯୋଗ କରିଥିଲେ। ଏଥିସହ ଚିକିତ୍ସାରେ ବିଳମ୍ବ ଯୋଗୁ ମଧ୍ୟ ତାଙ୍କ ପୁଅଙ୍କୁ ବଞ୍ଚାଯାଇପାରିଲାନି ବୋଲି ସେ ମଧ୍ୟ କହିଥିଲେ।