ଟ୍ରାନ୍ସଫର୍ମରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌: ଦୁଇ ଗୁରୁତର

ରାୟଗଡ଼ା ଅଫିସ,୫।୩: କାଶୀପୁର ସଦର ମହକୁମାରେ ବୁଧବାର ବିଳମ୍ବିତ ରାତିରେ ହନୁମାନ ନାମକ ଏକ ବସ୍‌ ସୁଙ୍ଗେରଠାରୁ କାଶୀପୁର ଆଡ଼କୁ ଫେରୁଥିଲା। ମେଡିକାଲ ଛକ ଗଡ଼ାଣିଆରେ ବ୍ରେକ୍‌ ମାରିବାରୁ ଭାରସାମ୍ୟ ହରାଇ ସମ୍ମୁଖରେ ଥିବା ଟ୍ରାନ୍ସଫୋର୍ମରରେ ପିଟି ହୋଇ ଏକ ପାନ ଦୋକାନ ଉପରେ ଓଲଟି ପଡ଼ିଥିଲା। ଫଳରେ ପାନ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହେଇଯାଇଛି। ବସ୍‌ ଦୁର୍ଘଟଣା ଶବ୍ଦ ଶୁଣି ମେଡିକାଲ କର୍ମଚାରୀମାନେ ପ୍ରଥମେ ଡା. ରାବଡ଼ା ରାମାରାଓଙ୍କୁ ଡାକିଥିଲେ। ଡାକ୍ତର ରାବଡ଼ାଙ୍କ ନେତୃତ୍ୱରେ ମେଡିକାଲ କର୍ମଚାରୀ ଛାନ୍‌ଭିନ୍‌ କରିବାରୁ ବସ୍‌ରେ ଥିବା ଅନ୍ୟ ୩ ଜଣ ଫେରାର ଥିବାବେଳେ ବସ୍‌ ଭିତରେ ସୁଙ୍ଗେର ଗ୍ରାମର ଯୁଧିଷ୍ଠିର ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପାନ ଦୋକାନୀ ପ୍ରଦୀପ ଗୋପାଳ ମଧ୍ୟ ବସ୍‌ ତଳେ ଚାପି ହୋଇ ରହିଥିଲେ। ପରେ ଉକ୍ତ ଦୁଇଜଣଙ୍କୁ କାଶୀପୁର ସ୍ବାସ୍ଥକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ବସ୍‌ଟି ରାସ୍ତା ଉପରେ ପଡ଼ି ରହିଥିବାବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।