ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉକ୍ତ ଗ୍ରାମର ଫୁଲମଣୀ ମୁଣ୍ଡା(୪୫)। ଗୁରୁତରମାନେ ହେଲେ ଉକ୍ତ ଗ୍ରାମର ସମରା ମୁଣ୍ଡା, ମୃତ ଫୁଲମଣୀଙ୍କ ପୁଅ ଜାପାନ ମୁଣ୍ଡା ଓ ରାମଚନ୍ଦ୍ରପୁର ଗ୍ରାମର ଶକୁନ୍ତଳା ମହାନ୍ତ।
ସୂଚନାନୁଯାୟୀ, ରାତିରେ ଟ୍ରାକ୍ଟର (ଓଆର୍‌୦୯ଏଲ୍‌୧୨୭୮) ବିଲରୁ ଧାନ ବୋଝେଇ କରି ଯାଉଥିବା ବେଳେ ରାସ୍ତାରେ ଥିବା ଏକ ନାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ସେଥିରେ ବସିଥିବା ଫୁଲମଣୀ, ପୁଅ ଜାପାନ, ସମରା ଓ ଶକୁନ୍ତଳା ଟ୍ରାକ୍ଟର ତଳେ ଚାପିହୋଇ ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଝୁମ୍ପୁରା ଡାକ୍ତରଖାନାକୁ ନିଆଯାଉଥିବା ବେଳେ ରାସ୍ତାରେ ଫୁଲମଣୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତରମାନଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ସୋମବାର ସକାଳେ ମୃତ ଫୁଲମଣୀ ମୁଣ୍ଡାଙ୍କ ପୁଅ ମାନସିଂ ମୁଣ୍ଡା ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ. ୧୬୫/୧୯ରେ ଏକ ମାମଲା ରୁଜୁ କରିଛି। ପୋଲିସ ଟ୍ରାକ୍ଟର ଜବତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି। ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି।