Categories: ଗଞ୍ଜାମ

ଟ୍ରଲିରେ ବୁହାହେଲା ମୃତଦେହ

ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା ଜଣାପଡିଛି। ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ମୃତଦେହ ନେଇ ଯାଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି।ପ୍ରକାଶ ଯେ, ଗଞ୍ଜାମ ଜିଲା ଭଞ୍ଜନଗର ସହର ଭେଜିପୁଟର ଜଣେ ଯୁବତୀ ମଙ୍ଗଳବାର ଅପରାହ୍ନରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ହେଲେ ରଞ୍ଜିତା ନାୟକ (୨୨)। ଭଞ୍ଜନଗର ମେଡିକାଲରେ ବୁଧବାର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ୫ଶହ ମିଟର ଦୂର ତାଙ୍କ ଘରକୁ ଟ୍ରଲିରେ ବୋହି ନେଇଥିଲେ। କେଉଁ ପରିସ୍ଥିତିରେ ଟ୍ରଲିରେ ମୃତଦେହ ନେଲେ ତାହା ଜଣାପଡିନାହିଁ। ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମେଡିକାଲରେ ମହାପ୍ରୟାଣ ଗାଡି ରହିଛି। ମାତ୍ର ଗାଡି ପାଇଁ ଆମକୁ ନ ଜଣାଇ ମୃତଦେହ ଟ୍ରଲିରେ ନେଇଯାଇଥିବା ପରେ ଆମେ ଜାଣିବାକୁ ପାଇଲୁ।