ଟ୍ରମ୍ପ୍‌ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍‌ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ

ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା ସଂକ୍ରମଣର ତଥ୍ୟ ଲୁଚାଇବା ପାଇଁ ଚାଇନାର କଥା ଅନୁସାରେ ଡବ୍ଲ୍ୟୁଏଚ୍‌ଓ କାମ କରିଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ଟ୍ରମ୍ପ୍‌ ଚିଠି ଲେଖିଛନ୍ତି। ଆଗାମୀ ୩୦ ଦିନରେ ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟ ପ୍ରଣାଳୀରେ ସୁଧାର ନ ଆସିଲେ ଆମେରିକା ସମସ୍ତ ଫଣ୍ଡିଂକୁ ସ୍ଥାୟୀରୂପେ ବନ୍ଦ କରିଦେବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଏବଂ ଚାଇନା ଯୋଗୁ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ୯୪ ହଜାର ୩୬୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୧୮୯ ଛୁଇଁଥିବା ଟ୍ରମ୍ପ୍‌ କହିଛନ୍ତି। ଡବ୍ଲ୍ୟୁଏଚ୍‌ଓ ନିଜର କାର୍ଯ୍ୟଧାରାରେ ପରିବର୍ତ୍ତନ ନ ଆଣିଲେ ଆମେରିକା ଏହାର ସଦସ୍ୟତା ନେଇ ପୁନର୍ବିଚାର କରିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ସଦସ୍ୟ ରାଷ୍ଟ୍ର ଭାବେ ଆମେରିକା ଡବ୍ଲ୍ୟୁଏଚ୍‌ଓକୁ ବାର୍ଷିକ ୪୫୦ ନିୟୁତ ଡଲାର( ପ୍ରାୟ ୩୫୦୦ କୋଟି ଟଙ୍କା)ର ଅନୁଦାନ ଯୋଗାଇ ଦେଇଥାଏ।

Share