ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରୋକୋ,ପ୍ରଶାସନ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ

ରାୟଗଡ଼ା ଅଫିସ, ୨।୯: ରାୟଗଡ଼ା ଜିଲା କୋଲନରା ବ୍ଲକ ଭୂଜବଳ ଗ୍ରାମ ସୀତାକଟା ବ୍ରିଜ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଫଳରେ ଦିନ ୨ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ ଥିଲା। ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ପ୍ରକାଶ ଯେ, କୋଲନରାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ସୀତାକଟା ବ୍ରିଜ ନିକଟ ଜାତୀୟ ରାଜପଥ ୩୨୬ରେ ଭାରସମ୍ୟ ହରାଇ ସାଇକେଲ ଆରୋହୀ ଗୁଆବଂଶ ଚୈତନ୍ୟ(୪୫)ଓ ପଥଚାରୀ ବୀରସେନ ସିଂ(୫୦) ଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁଆବଂଶ ଚୈତନ୍ୟ ପ୍ରାଣ ହରାଇ ଥିବାବେଳେ ଏଥିରେ ବୀରସେନ ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଅଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ମୃତକଙ୍କ ପରିବାର ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ଥିଲା। ବିଡିଓ ତାପସ ଭୋଇ ଓ ଚାନ୍ଦିଲି ଥାନା ଆଇଆଇସି ଅଜିତ୍‌ କୁମାର ସ୍ବାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ୩ଦିନ ମଧ୍ୟରେ ଘଟଣାର ସମାଧାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ରେଡ୍‌କ୍ରସ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।