ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଳିମାଟି,୫ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ସୋମବାର ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ସାଇାକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୀରଗୋବିନ୍ଦପୁର ଗ୍ରାମର ପଦ୍ମଲୋଚନ ମହାପାତ୍ର (୫୨)।
ସୂଚନାନୁଯାୟୀ, ପଦ୍ମଲୋଚନ ଗାଈ ପାଇଁ ଘାସ କାଟି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ବୀରଗୋବିନ୍ଦପୁର ଛକ ନିକଟରେ ମାଲବୁହା ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପଦ୍ମଲୋଚନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକରେ ରାସ୍ତାରୋକୋ କରିଥିଲେ। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକୋ ହଟିଥିଲା।