ଟ୍ରକ୍‌ ଧକ୍କାରେ ଛାତ୍ର ମୃତ, ୨ ଗୁରୁତର: କଟକ-ପାରାଦୀପ ରାସ୍ତା ଅବରୋଧ

ପାରାଦୀପ, ୧୨।୧୦(ସ୍ବ.ପ୍ର.): କଟକ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ନିକଟ ବରେଇ ଛକରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ହେଲେ ବରେଇ ଗ୍ରାମର କାହ୍ନୁ ମହାନ୍ତି। ଆହତଦ୍ୱୟ ଓମ୍‌ପ୍ରକାଶ ସ୍ବାଇଁ ଓ ଦିବ୍ୟ ପଟ୍ଟନାୟକ।
ପ୍ରକାଶ ଯେ, କାହ୍ନୁ, ଓମ୍‌ପ୍ରକାଶ ଓ ଦିବ୍ୟ ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ବେଳେ ଏକ ଭାରିଯାନ ଟ୍ରକ(ଓଡି ୨୧ଇ୧୬୫୧) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାହ୍ନୁଙ୍କର ମୃତ୍ୟୁ ଘଟିଛି। ଗୁରୁତର ଦ୍ୱୟଙ୍କୁ ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଚାଳକ ଫେରାର ହୋଇଯାଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ କଟକ-ପାରାଦୀପ ରାସ୍ତାରେ ଭାରିଯାନ ଚଳାଚଳ କଟକଣା ଦାବିରେ ରାସ୍ତାରୋକୋ କରାଯାଇଛି। ଲକ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ମନାଇବାରେ ବିଫଳ ହୋଇଛନ୍ତି।