ଟ୍ରକ୍‌ ଧକ୍କାରେ ଛାତ୍ରୀ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ରସୁଲପୁର, ୧୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଖଣ୍ଡାସ ଛକରେ ସୋମବାର ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ବାଲିହୁଡା ଗ୍ରାମର ରୂପାଲି ବେହେରା।
ପ୍ରକାଶ ଯେ, ରୂପାଲି ବ୍ରହ୍ମବରଦା ସରସ୍ବତୀ ଶିଶୁ ମନ୍ଦିରରେ ଶ୍ରେଣୀ ପରୀକ୍ଷାସାରି ଘରକୁ ଫେରୁଥିଲେ। ସ୍କୁଲ ଗାଡ଼ିରୁ ଓହ୍ଲାଇ ଖଣ୍ଡାସ ଛକ ପାରିହେଉଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ଲାଗିରହିଛି। ପରିବାର ଓ ଉତ୍ତକ୍ତଲୋକେ ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ୨ ଘଣ୍ଟା ବିଳମ୍ବରେ ଯାଜପୁର ସଦର ଥାନା ପୋଲିସ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀ ଆସି ନ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସେମାନେ କହିଛନ୍ତି।