ଟ୍ରକ୍‌, ଆମ୍ବୁଲାନ୍ସରେ ବେଆଇନ୍‌ ପ୍ରବେଶ କରୁଛନ୍ତି ଲୋକେ: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ

ଛତ୍ରପୁର, ୨୨।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସୀମାରେ କରାଯାଉଥିବା ମିଳିତ ଯାଞ୍ଚ ବୁଧବାର ଷଷ୍ଠ ଦିନରେ ପହଁଚିଛି। ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରି ଅସ୍ଥାୟୀ ଚେକ୍‌ଗେଟ କରାଯାଇ ଏହି ଯାଞ୍ଚ କରାଯାଉଥିବା ସୂଚନା ଦିଆଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗଞ୍ଜାମ – ଆନ୍ଧ୍ର ସୀମାନ୍ତ ବଳରାମପୁର, ୧୬ ନଂ ଜାତୀୟ ରାଜପଥ ଗୁରାପଲ୍ଲୀ ଚେକ୍‌ଗେଟଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି। ପରିବହନ, ପୋଲିସ ରାଜସ୍ବ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ଏହି ଯାଞ୍ଚ ଚାଲିଛି। ଜ଼ିଲାପାଳଙ୍କ ଦ୍ୱାରା ଗଠିତ ମଲ୍ଟି ଡିସିପ୍ଳିନାରୀ ସ୍କ୍ବାର୍ଡ଼ ଏହା ଉପରେ ନଜର ରଖୁଛନ୍ତି। ଅନ୍ୟ ଜ଼ିଲାରୁ କିଛି ଲୋକ ବିଭିନ୍ନ ଟ୍ରକ୍‌, ଆମ୍ବୁଲାନ୍ସରେ ଗଞ୍ଜାମ ଜ଼ିଲାକୁ ଆସୁଛନ୍ତି। ଏମାନେ କିଭଳି ଜିଲାକୁ ଅସୁରକ୍ଷିତ ତଥା ବେଆଇନ ଭାବେ ପ୍ରବେଶ ନ କରିପାରିବେ ସେଥିପାଇଁ ଯାଞ୍ଚ କଡାକଡି କରାଯାଇଛି। ଏପରିକି ସମ୍ପୃକ୍ତ ଯାନବାହନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ ନମ୍ବର ପଞ୍ଜିକରଣ କରାଯାଉଛି। ଚେକ୍‌ଗେଟ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ସହ ୨୪ ଘଣ୍ଟିଆ ମନିଟରିଂ ହେଉଥିବା ସୂଚନା ମିଳିଛି।