ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ୍‌ ନେଇ ଆଶଙ୍କକା ଦେଖାଦେଇଛି। ଚଳିତ ଥର ଅଲିମ୍ପିକ ହେବ କି ନାହିଁ ତାହା ଏପ୍ରିଲ୍‌ ୨୪ ସୁଦ୍ଧା ସମ୍ପୂର୍ଣ୍ଣ ଜଣାପଡ଼ିଯିବ। ତେବେ ଅଲିମ୍ପିକ୍‌ ନ ହେଲେ ୨୬୦୦ କୋଟି ଡଲାର ପାଣିରେ ପଡ଼ିବ ବୋଲି କୁହାଯାଉଛି। ପ୍ରତିକୂଳ ସ୍ଥିତିରେ ଅଲିମ୍ପିକର ସମୟକୁ ନା ବଦଳାଯିବ ଅବା ସ୍ଥଗିତ ରଖାଯିବ। ଏହାକୁ ଅଲମ୍ପିକ କମିଟି ନିଶ୍ଚିତ ଭାବେ ରଦ୍ଦ ହିଁ କରିବାର ଆଶଙ୍କା ଦେଖା ଦେଇଛି। ଚାଇନା ପରେ ବିଦେଶୀ ରାଷ୍ଟ୍ର ଭାବେ ଜାପାନରେ ଅଧିକ କରୋନା ସଂକ୍ରମଣ ଘଟିଛି। ଏହା ଅଲିମ୍ପିକ ପାଇଁ ବାଧା ସୃଷ୍ଟି କରିବ। ତେଣୁ ଅଲିମ୍ପିକ୍‌ କମିଟି ହିଁ ଖେଳାଳିଙ୍କ ହିତକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ ନେବେ। ସୂଚନାଯୋଗ୍ୟ, ୧୯୧୬ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବର୍ଲିନ୍‌ ଅଲିମ୍ପିକ୍‌କୁ ରଦ୍ଦ କରାଯାଇଥିଲା। ୧୯୪୦ରେ ଟୋକିଓ ଅଲିମ୍ପିକକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ବନ୍ଦ କରି ଦିଆଯାଇଥିଲା। ସେହିପରି ୧୯୪୪ରେ ଲଣ୍ଡନ ଅଲିମ୍ପିକ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ହୋଇପାରି ନ ଥିଲା।

Share