ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର

ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍‌-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଅସ୍ବୀକାର କରିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ନିଯୁକ୍ତ ଆଇଓସି କୋର୍ଡିନେଶନ କମିଶନ ମୁଖ୍ୟ ଏଭଳି ପରାମର୍ଶ ତଥା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଷ୍ଟ୍ରେଲିଆର ଆଇଓସି କମିଟି ମେମ୍ବର ସଦସ୍ୟ ଜନ୍‌ କୋଟ୍ସ ଏଥିରେ ସହମତ ନୁହନ୍ତି ବୋଲି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ତଥା ପରାମର୍ଶ ଅନୁଯାୟୀ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି। ଟିକା ମିଳିଲେ ନିଶ୍ଚିତ ଭାବେ ଭଲ ହେବ। ତେବେ ଆମେ ଡବ୍ଲ୍ୟୁଏଚ୍‌ଓ ଓ ଜାପାନ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଅନୁସାରେ ନିଷ୍ପତ୍ତି ନେବୁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଅଲିମ୍ପିକ୍ସରେ ୨୦୦ଟି ଦେଶରୁ ୧୧,୦୦୦ ଆଥ୍‌ଲେଟ ଓ ୪, ୪୦୦ ପରା ଆଥଲେଟ୍‌ ଅଂଶଗ୍ରହଣ କରିବେ। ତେବେ ଏହି ଆଥ୍‌ଲେଟମାନେ କିପରି ଜାପାନ ଆସିବେ ଓ ସ୍ବଦେଶ ଫେରିବେ ସେ ନେଇ କୋଟ୍ସ କିଛି କହିନାହାନ୍ତି। କୋଭିଡ-୧୯ କାରଣରୁ ଜାପାନରେ ୩୯୪ ଜଣ ମୃତ୍ୟୁବରଣ କରିଥିତ୍ବା ବେଳେ ୧୩, ୭୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଗତମାସ ଆଇଓସି ଅଧ୍ୟକ୍ଷ ଥୋମାସ ବାକ ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମିଳିତ ଭାବେ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ।

Share