Categories: ଖେଳ

ଟୋକିଓରେ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ : ୧୭ରୁ ଭାରତୀୟ ପୁରୁଷ, ମହିଳା ହକି ଦଳର ଅଭିଯାନ

ବେଙ୍ଗାଲୁରୁ,୧୧।୮(ପି.ଟି.) : ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବାରକୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଜାପାନ ଯାତ୍ରା କରିଛନ୍ତି। ଏହି ଇଭେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆଗକୁ ନଭେମ୍ବରରେ ଅଲିମ୍ପିକ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଫଳରେ ପ୍ରସ୍ତୁତି ପାଇଁ ଏହି ଇଭେଣ୍ଟ ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ପୁରୁଷ ଦଳ ଆୟୋଜକ ଜାପାନ, ନ୍ୟୁଜିଲାଣ୍ଡ ଓ ମାଲେସିଆ ବିପକ୍ଷରେ ଏହି ଟୁର୍ନାମେଣ୍ଟରେ ମ୍ୟାଚ୍‌ ଖେଳିବ। ସେହିପରି ମହିଳା ଦଳ ଅଷ୍ଟ୍ରେଲିଆ, ଚାଇନା ଓ ଜାପାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ଟୁର୍ନାମେଣ୍ଟ ଯୁବ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଖେଳାଳିମାନେ ଅଭ୍ୟାସ କରିବାର ସୁଯୋଗ ପାଇବେ ଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଦଳ ଚୟନ ପୂର୍ବରୁ ନିଜର ଦକ୍ଷତା ଓ ପ୍ରତିଭା ପ୍ରତିପାଦନ କରିବାର ସୁଯୋଗ ପାଇବେ ବୋଲି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି। କେବଳ ସେତିକି ନୁହଁ ଖେଳାଳିମାନେ ଟୋକିଓରେ ଖେଳିବାର ଅଭିଜ୍ଞତା ହାସଲ କରିବେ ଓ ସେଠାକାର ପ୍ଲେଇଙ୍ଗ୍‌ କଣ୍ଡିସନ ସହ ଖାପ୍‌ ଖୁଆଇବାର ସୁଯୋଗ ପାଇବେ। ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ଆମେ ସକାରାତ୍ମକ ଭାବେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସେ କହିଛନ୍ତ।
ଅନ୍ୟପଟେ ଏହି ଟୁର୍ନାମେଣ୍ଟରେ ଉଚ୍ଚ ର଼୍ୟାଙ୍କର ଦଳ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ରହିଛୁ ବୋଲି ଭାରତୀୟ ଅଧିନାୟିକା ରାନୀ କହିଛନ୍ତି। ପୂର୍ବରୁ ଆମେ ଜାପାନ ଓ ଚାଇନା ବିପକ୍ଷରେ ଭଲ ପ୍ରଦର୍ଶନ କରିଛୁ। ତେବେ ଏଥର ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହୁଛି। ଅଷ୍ଟ୍ରେଲିଆକୁ ହରାଇଲେ ଆମ ଦଳ ଓ ଖେଳାଳିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ପ୍ରସ୍ତୁତି ଜୋରଦାର କରିବୁ ବୋଲି ସେ କହିଛନ୍ତି। ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ମାଲେସିଆ ଓ ମହିଳା ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ଭେଟିବ। ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳି ପୁରୁଷ ଓ ମହିଳା ଦଳ ଅଭିଯାନ ଆରମ୍ଭ କରିବେ।

Share